STORYMIRROR

janaki mahanta

Inspirational

4  

janaki mahanta

Inspirational

କଳପ ମୂଳିଆ କଳାପି ଚୂଳିଆ

କଳପ ମୂଳିଆ କଳାପି ଚୂଳିଆ

1 min
276


କଳପ ମୂଳିଆ କଳାପୀ ଚୂଳିଆ

କଞ୍ଜ ନୟନ ଶ୍ରୀହରି,

କଳା କହ୍ନେଇଁ ମୋ' କାଳିଆ କାଞ୍ଚନ

କାନ୍ତ ଶୁଣ ମୋ' ଗୁହାରି।। 


କରୁଣାର ନିଧି କୃପାର ବାରିଧି

କୃପାସିନ୍ଧୁ ଦଇତାରୀ,

କୋଟି ଓଡିଆଙ୍କ କଳା ଇଷ୍ଟ ଦିଅଁ 

କୃପାକର ହେ ମୁରାରି ।।


କମଳା ରମଣ କମଳ ଲୋଚନ

କମ୍ବୁ କଟକ ନିବାସୀ,

କାକୁସ୍ଥ ହୋଇଣ କହେ ଦୀନହୀନ

କରାଇବ କ୍ଷେତ୍ରବାସୀ।।


କସ୍ତୁରୀ ଚନ୍ଦନ କର୍ପୂର ଚୂଆ ରେ

କରିବି ବେଶ ତୋହର,

କଟିରେ ମେଖଳା କେରା ସ୍ୱର୍ଣ୍ଣସୂତା 

କର୍ଣ୍ଣେ କୁଣ୍ଡଳ ହୀରାର।।


କଉସ୍ତୁଭ ହାର କଙ୍କଣ କରରେ

କେୟୂର ଖଞ୍ଜିବି ତୋ'ର,

କାଳିଆ ସାଆନ୍ତ କେମନ୍ତେ କହିବି

କାନ୍ତି ରୂପ କି ସୁନ୍ଦର!!


କମଳାକାନ୍ତ ହେ କମଳାର ବର

କାଳିଆରଜା ରତନ,

କଳା ରଙ୍ଗ ତୋର କରୁଛି ଅଥୟ

କୁଞ୍ଜବିହାରୀ ମୋହନ ।।


କଦନହାରୀ ହେ କହ୍ଲାର ନୟନ 

କଳ୍ପତରୁ କଳାକାର,

କାଳିଆ ରଜାର କଳା କଳେବର

କରୁଛି ମୋତେ ଅଧିର ।।


କଳାକାହ୍ନୁ କାୟା କଳ୍ପତରୁ ମାୟା

କମ୍ବୁପାଣି ଚକ୍ରପାଣି,

କରପୁଟ ଯୋଡ଼ି କାକୁସ୍ଥ କରୁଛି

କରୁଣା କର ଧନମଣି ।।


କୃଷ୍ଣ କେଶବ ମୋ' କାଳୀୟଦଳନ

କଳାକାହ୍ନୁ ହେ କହ୍ନେଇଁ ,

କପଟ ନକର କାଳିଆ ଠାକୁର

କଲି ସମର୍ପଣ ମୁହିଁ ।।


କରୀକୁ ତାରିଛ କୌଣପ ନାଶିଛ

କୁବୁଜା ଉଦ୍ଧାର କରି,

କରୁଅଛି ଅଳି କୋଳେ ନେବ ତୋଳି

କରେ ଏତିକି ଗୁହାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational