ବନ୍ଧୁ
ବନ୍ଧୁ
ବନ୍ଧୁ ବିନା ନିଃସ୍ୱ ଲାଗଇ ଜୀବନ
ବନ୍ଧୁ ସଭିଙ୍କର ଲୋଡା ।
ଭଲରେ ମନ୍ଦରେ ଆପଦେ ବିପଦେ
ବନ୍ଧୁଟିଏ ହୁଏ ଛିଡା ।୧।
ବାଳ ବୃଦ୍ଧ ଅବା ଯୁବା ସଭିଙ୍କର
ଆବଶ୍ୟକ ବନ୍ଧୁଟିଏ ।
ବନ୍ଧୁ ମନ କଥା ବନ୍ଧୁ ଆଗେ କହେ
ତା ବିନା ଶୁଣିବ କିଏ ?୨।
ବନ୍ଧୁ ଆଗେ ସବୁ ମନକଥାଯାକ
କହିବାକୁ ଲାଗେ ଭଲ ।
ନକହି ପାରିଲେ ମନକଥା ସବୁ
ହୃଦ କରେ କଲବଲ ।୩।
ବନ୍ଧୁଟିଏ କରେ ଦନ୍ଧୁର ଆଦର
ସୁଖେ ଦୁଃଖେ ହୁଏ ସାଥି ।
ବନ୍ଧୁଟିଏ ବନ୍ଧୁ ପାଶେ ରହିଥିଲେ
ନଥାଏ ମନରେ ଭୀତି ।୪।
ଯେତେ ଦୂରେ ଥିଲେ ବନ୍ଧୁଟି ନିକଟେ
ରହିବା ପରି ଲାଗଇ ।
ବନ୍ଧୁ ମିଳନରେ ମିଳେ ମହାସୁଖ
କିଏ ଅବା ନଜାଣଇ ।୫।
ବନ୍ଧୁ ପରି ବନ୍ଧୁ ମିଳିବା କଠିନ
ତେବେ ନୁହଇ ଦୁର୍ଲ୍ଲଭ ।
କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ବ କିପରି
ଦେଖ ହୋଇଲା ସୁଲଭ ।୬।
ବନ୍ଧୁଟିଏ ହେଲେ ବନ୍ଧୁ ମହାନ୍ତିର
ନିଜେ ପ୍ରଭୁ ଜଗନ୍ନାଥ ।
ଭୋକ ବିକଳରୁ ମୁକତ କରିଲେ
ଜାଣିଲା ସାରା ଜଗତ ।୭।
ମାତା ପିତା ଗୁରୁ ବନ୍ଧୁ ପରିଜନ
ସଭିଙ୍କୁ କର ଆଦର।
ପତିପତ୍ନୀ ପତ୍ନୀପତି ସମ ବନ୍ଧୁ
ଦୁର୍ଲ୍ଲଭ ଏ ପରସ୍ପର ।୮।
ଗୁରୁଙ୍କ ସମାନ ବନ୍ଧୁଟିଏ ତୁମେ
କେବେହେଲେ ନପାଇବ ।
ପ୍ରଭୁଙ୍କ ସହିତ ବନ୍ଧୁତା କରିଲେ
ଭବବନ୍ଧୁ ନିସ୍ତରିବ ।୯।
