ଜାତି ଜାତିକା ହସ
ଜାତି ଜାତିକା ହସ
ହସ ଦିବସେ ଆଣିଛି ମୁହିଁ
ଜାତି ଜାତିକା ହସ ।
ଖିଲି ଖିଲିଆ, ମଲ୍ଲି ଫୁଲିଆ
ମୁଚୁକୁନ୍ଦିଆ ହସ ।।
କୁଟ କପଟ ଝୁଟ ଝପଟ
ହସ ମୁଁ ଆଣି ନାହିଁ ।
ପାଖରେ ବସ କହିବି ହସ
ମହିମା ଟିକେ ଭାଇ ।।
ଇନ୍ଦ୍ରପ୍ରସ୍ଥରେ ସଭା ମଧ୍ୟରେ
ପାଞ୍ଚାଳୀ ଅଟ୍ଟହାସ ।
ପ୍ରତିଶୋଧର ଜଳିଲା ବହ୍ନି
ମହାଭାରତ ଶେଷ ।।
କୁଟି କପଟୀ ମାମୁଁର ଖଟି
ଶକୁନି କୁଟ ହସ ।
ଜାନୁ ଭଗନେ ଦୁରୁଯା ବୀର
ଲଭିଲା ଅନ୍ତେ ଶେଷ ।।
ଗାଣ୍ଡୀବ ଛାଡ଼ି ମୁହଁକୁ ମାଡ଼ି
ଅର୍ଜ୍ଜୁନ ଥିଲେ ବସି ।
ଗୀତା ବୁଝାଇ କଳା କହ୍ନାଇ
ଶ୍ରୀକୃଷ୍ଣ ଦେଲେ ହସି ।।
ହସରେ ଶତ୍ରୁ ହସରେ ମିତ୍ର
ହସରେ ପୁଣି ପ୍ରେମ ।
ପ୍ରେମେ ହସିଲେ ଶ୍ରୀରାମଚନ୍ଦ୍ର
ସତ୍ୟ ପାଳନ ଧର୍ମ ।।
ଛଳରୁ ଦୁରେ ହସ ଭିତରେ
କପଟ ରଖ ନାହିଁ ।
ବିଷକୁ ଭରି ପୟୋ ମୁଖରେ
ନହସ କେବେ ଭାଇ ।।
ପ୍ରେମରେ ହସ ପ୍ରେମରେ ରସ
ସଭିଙ୍କୁ କର ନିଜ ।
ହସି ହସାଇ ରସି ରସାଇ
ଜଗତ ପ୍ରେମେ ମଜ୍ଜ ।।
ଜଗନ୍ନାଥଙ୍କ ମୁଖରେ ଦେଖ
ଦ୍ଵିତୀୟା ଚାନ୍ଦ ହସ ।
ଜଗତ ମୋହି ଶ୍ରୀକ୍ଷେତ୍ର ସାଇଁ
କରି ଅଛନ୍ତି ବଶ ।
