ନନ୍ଦ ପୁଅ ନଟନାଗର
ନନ୍ଦ ପୁଅ ନଟନାଗର
ନନ୍ଦ ପୁଅ ନଟନାଗର
ସେ ଜାଣନ୍ତି ଯାଦୁ ମନ୍ତର
ତାଙ୍କ ପାଇଁ ଉଠିଲା ପଡ଼ିଲା ମଥୁରା କଟକ
କ୍ଷୀର ଲହୁଣୀରେ ଆକଟ ହେଲା ଗୋପପୁର
ନନ୍ଦରାଜାର ନନ୍ଦନ ସେ ଯଶୋଦାର ଜୀବନ ଧନ
ଫୁଙ୍କିଲେ ବଇଁଶୀ ସୁର ଶୁଭେ ତାର ତିନିପୁର
କଳା କାହ୍ନୁ ସେ
ତାଙ୍କ ପ୍ରେମେ ବାଇ ସାରା ସଂସାର
ବାଲୁତ କାଳେ କ୍ଷୀର ପିଉ ପିଉ ନାଶିଲେ ପୁତୁନା
ବକା ସକଟାସୁରକୁ ମାରିଲେ ଗାଈ ଚରାଇବା ବେଳେ
ବାମ ଆଙ୍ଗୁଳିରେ ଟେକିଲେ ସେ ଗିରି ଗୋବର୍ଦ୍ଧନ
ଆଚମ୍ବିତ ହେଲେ ସବୁ ଖେଳ ଦେଖି ତାଙ୍କର
ମାଟି ଖାଉ ଖାଉ ପାଟି ମେଲି ଦେଖାଇଲେ ବିଶ୍ଵରୂପ
ଚେତା ବୁଡ଼ି ଗଲା ଦେଖି ଯଶୋଦା ମାଆ'ର
ନନ୍ଦ ପୁଅ ନଟନାଗର
ସେ ରସିକ ନାଗର ବଂଶୀଧର
ଗାଈଆଳ ବେଶେ ସଖା ସାଥୀ ମେଳେ କଲେ ହଟ
ଭାଙ୍ଗିଲେ ମାଠିଆ ହେଲେ ସେ ଗୋପେ ଲବଣୀ ଚୋର
ଗୋପାଙ୍ଗନା ବସ୍ତ୍ର ଚୋରାଇ ନେଇ କଲେ ହରବର
ଦୁଷ୍ଟନାଶୀ ସନ୍ଥ ପାଳି ପତିତଙ୍କୁ କେତେ କଲେ ଉଦ୍ଧାର
ମାମୁଁ କଂସକୁ ମାରି ମାଆ ଦେବକୀ ବାପା ବସୁଦେବଙ୍କୁ
ମୁକ୍ତକଲେ ବନ୍ଦୀଶାଳାରୁ ହସ ଫୁଟାଇଲେ ଓଠେ ତାଙ୍କର
ଶାନ୍ତି ସନ୍ତୋଷ ଦେଲେ କମିଲା ମେଦିନୀର ପାପ ଭାର
ସେ ପ୍ରେମିକ ପ୍ରବର କୃଷ୍ଣ
ସାରା ଜଗତର ଠାକୁର
ଶିଖାଇଲେ ପ୍ରେମ ରାଧା ସାଥେ ମିଶି ହେଲା ଅମର
ରାଧାରାଣୀର ହୃଦ୍ ସ୍ପନ୍ଦନ ପ୍ରାଣର ପ୍ରଣବ ଧ୍ଵନି
କଦମ୍ବ ମୂଳେ ଯମୁନା କୂଳେ ରଚିଲେ ପ୍ରେମ ମନ୍ଦିର
ବୃନ୍ଦାବନେ କେଳି କଲେ ନିତ୍ୟ ରାସେ କି ମନୋହର
ନନ୍ଦ ପୁଅ ନଟନାଗର
ଅର୍ଜୁନଙ୍କ ସାରଥୀ ଚକ୍ରଧର
କୋଟି ବସ୍ତ୍ରଦାନେ ରକ୍ଷାକଲେ ଦୌପଦୀଙ୍କ ମାନ
ଶାନ୍ତି ଦୂତ ହେଲେ ସ୍ଵୟଂ ଅଶାନ୍ତିକୁ କରିବା ପାଇଁ ଦୂର
ବୁଝିଲା ନାହିଁ ଗର୍ବୀ ଅହଂକାରୀ ସେ ମାନୀ ଦୁର୍ଯ୍ୟୋଧନ
କୁରୁକ୍ଷେତ୍ରେ ହେଲା ମହାଭାରତର ମହାସମର
ଅନ୍ୟାୟ ଅଧର୍ମ କରି ଥିବାରୁ କୌରବଙ୍କୁ କଲେ ନିଧନ
ସେ ଇଚ୍ଛାମୟ ଅନ୍ତର୍ଯ୍ୟାମୀ କୃପାସିନ୍ଧୁ କରୁଣାକର
କିଏ ବା ପାରିବ ବର୍ଣ୍ଣି ଆଦି ଅନ୍ତ ମହିମା ତାଙ୍କର
ସେ ସୃଷ୍ଟିଧର ସୃଷ୍ଟି କରି ପାଳନ୍ତି ସଂସାର କରନ୍ତି ସଂହାର
ଯୁଗେ ଯୁଗେ କଲ୍ୟାଣ କରିବା ପାଇଁ ନିଅନ୍ତି ଅବତାର
ଧର୍ମରକ୍ଷା କରିବାକୁ କରନ୍ତି ଦୁଷ୍ଟ ପାପୀଙ୍କୁ ଦଳନ
ସେ ମାୟାଧର ମାୟାରେ ମାରନ୍ତି ଯେତେକ ଅସୁର
ସସାଗରା ମହୀ ଚରଣେ ଶରଣ ନିଅନ୍ତି ତାଙ୍କର
ନନ୍ଦ ପୁଅ ନଟନାଗର
ସାହା ଭରସା ସେ ସଭିଙ୍କର ।
