ନିୟତି
ନିୟତି
ଅଦୃଶ୍ୟରେ ରହି ଚଳାଏ ସେ ମହୀ
ରୂପ ତାର ଦିଶେ ନାହିଁ,
ଦିଏ ସେ ଆକାର ଏ ସାରା ସଂସାର
ରହିଛି ତାହାରି ପାଇଁ।
ବିଶ୍ଵ ବ୍ରହ୍ମାଣ୍ଡର ବୁଝଇ ଖବର
ନାମ ତାହାର ନିୟତି,
ନୀତି ନୀୟମରେ ବନ୍ଧା ତାହା ଠାରେ
ଜଗତର ସୃଷ୍ଟି ସ୍ଥିତି।
ଦେବରୁ ଦାନବ ସକଳ ମାନବ
ଜୀବଜନ୍ତୁ ବୃକ୍ଷଲତା,
ସ୍ଥାବର ଜଙ୍ଗମ ସୃଷ୍ଟିର ଯେ କ୍ରମ
ସବୁର ସିଏ ନିର୍ମାତା।
ରଖି ତାର ଭାବ ସୃଷ୍ଟିରେ ତ୍ରିଦେବ
ବ୍ରହ୍ମା ବିଷ୍ଣୁ ମହେଶ୍ଵର,
ପାଳନ୍ତି ସଂସାର କରନ୍ତି ସଂହାର
ହୁଏ ସବୁ ନିରନ୍ତର।
ପଞ୍ଚଭୂତ ମିଶି ଶକତି ପ୍ରକାଶି
ରକ୍ଷା କରନ୍ତି ପ୍ରକୃତି,
ଉତ୍ଥାନ ପତନ ସବୁର କାରଣ
ସେଇ ତ ଆଦି ଶକତି।
ହୁଏ ଯାହା ଯାହା କରାଏ ସେ ତାହା
ରଖିବାକୁ ଭାରସାମ୍ୟ,
ବିକାଶ ବିଲୟ ସୃଷ୍ଟି ଓ ପ୍ରଳୟ
ମଧ୍ୟେ ନାହିଁ ତାରତମ୍ୟ।
ସୂର୍ଯ୍ୟ ଚନ୍ଦ୍ର ତାରା ନବଗ୍ରହ ସାରା
ସମସ୍ତେ ନିୟତି ବଶ,
ନିର୍ଦ୍ଦେଶରେ ତାର କରି ଯେ ବିଚାର
ବିତାନ୍ତି ପ୍ରତି ଦିବସ।
ଜନମ ମରଣ ଜୀବନ ଧାରଣ
ସବୁ ତାର ନିୟନ୍ତ୍ରଣେ,
ସେ ନିୟତି ମଧ୍ୟ ନିୟମରେ ବାଧ୍ୟ
ରୁହଇ କାର୍ଯ୍ୟ କାରଣେ।
ସତ୍ୟର ପ୍ରକାଶେ ମିଥ୍ୟାର ବିନାଶେ
ସଂଘର୍ଷ ଚାଲେ ସର୍ବଦା,
ପାପ ପୁଣ୍ୟ ନେଇ ଫଳ ତା' ମିଳଇ
ଜୀବନ ତହିଁରେ ଛନ୍ଦା।
ଝଡ଼ ବାତ୍ୟା ବର୍ଷା ଦୁଃଖର ଦୁର୍ଦ୍ଦଶା
ଅନୁକୂଳେ ପ୍ରତିକୂଳ,
ସନ୍ତୁଳିତ ଧାରା ଭାରସାମ୍ୟେ ଧରା
ବିଷମର ପ୍ରତିଫଳ।
ନିୟତିର କ୍ରମେ ଏ ବ୍ରହ୍ମାଣ୍ଡ ଭ୍ରମେ
ସୃଷ୍ଟିର ଏଇ ତ ବିଧି,
ଯାହାର ଯେତିକି ରହିଛି ଶକତି
ପୂରାଇବ ସେ ଅବଧି।
ଜୀବର ଜୀବନ ନିୟତିର ଦାନ
ତାର ବିନା ନାହିଁ ଗତି,
ବ୍ରହ୍ମରେ ବ୍ରହ୍ମାଣ୍ଡ ରହିଛି ଅଖଣ୍ଡ
କର୍ମରେ ମିଳେ ମୁକତି।
ହସ ଲୁହ ବେନି ସଙ୍ଗତରେ ଘେନି
ହୁଏ ସବୁ ଆତଯାତ,
ଯୁଗେ ଯୁଗେ ଏହି ନିୟତି ଯେ ରହି
ପାଳୁଛି ସାରା ଜଗତ।
ନବ ଆଲୋକରେ ଅମା ଘୁଞ୍ଚୁ ଦୂରେ
ପାହୁ ଏ ଦୁଃଖର ରାତି,
ବିଧିର ବିଧାନ କରିଣ ପାଳନ
ଏ ଜୀବନ ଯାଉ ବିତି।