ନିରୁଦ୍ଦିଷ୍ଟ ମୌସୁମୀ
ନିରୁଦ୍ଦିଷ୍ଟ ମୌସୁମୀ
ମୌସୁମୀ ତମେ ତ ଆସୁନ
ଲଘୁଚାପ ଆଣୁଛି ବର୍ଷାକୁ କେବେକେବେ
ବର୍ଷା ବି କରୁନି ଓଡିଶୀ ଗାଉନି ଛନ୍ଦ କି ଚମ୍ପୁ
କରୁଛି ତାଣ୍ଡବ ଗାଉଛି ବେସୁରା ସଙ୍ଗୀତ
ଯାହା ଖାଲି ଆମେ ହନ୍ତସନ୍ତ ।।
କାହିଁ ଗଲ ମୌସୁମୀ କାହିଁ ତମ ବର୍ଷା
କାହିଁ ତାର ଛମଛମ ଘୁଙ୍ଗୁର ସେ ମାଦକ ଠାଣି
ବେଙ୍ଗୁଲିର କେଁକଟ ରଡି ଝିଙ୍କାରୀର ବୀଣା
ଭରୁନି ପୁଲକ ମନେ ଖେଳୁନି ଶିହରଣ ତନୁରେ
ତମେ ନିରୁଦ୍ଦିଷ୍ଟ ହେଲ କି ଆର୍ଯ୍ୟ ଉପତ୍ୟକାରେ ।।
ଉବୁଟୁବୁ ବିଲ ଉଜୁଡୁଛି ଫସଲ
ପଲିଥିନର ଘର ମୂଳପୋଛ କରି
ଭସାଇ ନେଉଛି ବର୍ଷା ଆଶା ଓ ଭରସା
ଉପାସ ପେଟ ଖୋଜୁଛି ମୁଣ୍ଡ ଗୁଞ୍ଜିବାର ଠିକଣା
ବିକାଶର ଦ୍ଵାହି ଦେଇ ବିନାଶ ଦୁଃଖ ଓ ଯନ୍ତ୍ରଣା ।।