ମାଆ ଓ ମମତା
ମାଆ ଓ ମମତା
ନାହିଁ ପଟାନ୍ତର ଜୀବନ ଯାତ୍ରାରେ
ମାଆ ଓ ମମତା ଦୁଇ,
ମାଆର ହୃଦୟେ ମମତା ସନ୍ତାନେ
ଗୁଞ୍ଜୁ ଥାଏ ଚିରସ୍ଥାଇ।
ନାହିଁ ସ୍ବାର୍ଥ ତହିଁ ଦୁଃଖ କଷ୍ଟ ସହି
ଦଶ ମାସ ଗର୍ଭେ ଧରେ,
ସନ୍ତାନ ପ୍ରେମରେ ଭୁଲି ଯାଏ ସବୁ
ଯନ୍ତ୍ରଣା ଅତି ଖୁସିରେ।
ଦଶ ମାସ ପରେ ଭୁଇଁରେ ମୁଁ ଆସେ
କଷ୍ଟ ଜନନୀକୁ ଦେଇ,
ମୋ ମୁଖ ଦେଖିଣ ଭୁଲି ଯାଏ ମାତା
ପବିତ୍ର ମମତା ଏହି।
ମାଆର ମମତା ସ୍ବର୍ଗରୁ ସୁନ୍ଦର
ବର୍ଣ୍ଣିବାର ଶକ୍ତି କାର,
ସର୍ବୋପରି ଅଟେ ମାଆର ମମତା
କାହୁଁ ତୁଳନା ତାହାର?
ବଡ଼ ହେଉ ଥାଏ ଧିରେ ଧିରେ ମୁହିଁ
ହସୁ ଥାଏ କାନ୍ଦୁ ଥାଏ,
କାନ୍ଦ ଶୁଣି ମାତା ଚୁମ୍ବନ ଦିଅଇ
କେତେ ଗପ କହୁ ଥାଏ।
ବାଲ୍ୟ ଅବସ୍ଥାରେ ଜନନୀ ମମତା
ନାହିଁ ଶବ୍ଦ ବର୍ଣ୍ଣିବାର,
ମାଆ ଓ ମମତା ଜୀବନରେ ସ୍ବର୍ଗ
ସର୍ବୋତ୍ତମ ମନୁଷ୍ୟର।
କରି ସୁସଜ୍ଜିତ ସ୍କୁଲ ପୋଷାକେ
ସ୍କୁଲକୁ ଦିଏ ପଠାଇ,
ଶିକ୍ଷିତ ହୋଇଣ ସୁନାମ ଅର୍ଜିବ
ଚୁମ୍ବନ ମୁଖେ ଦିଅଇ।
କଥା ଶିକ୍ଷକଙ୍କ ମାନିଥିବୁ ପୁତ୍ର
ଧ୍ୟାନେ ପାଠ ପଢୁଥିବୁ,
ଗୁରୁ ଜନଙ୍କର କଥା ମାନୁ ଥିବୁ
ଦୁଷ୍ଟାମୀ ନାହିଁ କରିବୁ।
ବାଲ୍ୟବନ୍ଧୁ ସଙ୍ଗେ ପ୍ରେମ ରଖି ଥିବୁ
କରିବୁ ତାଙ୍କ ଆଦର,
ନ କହିବୁ ମିଥ୍ୟା ଜୀବନରେ ତୋର
କରିବୁ ଶିକ୍ଷା ପ୍ରେମର।
ମନୁଷ୍ୟ ଜୀବନେ ମାଅ ଓ ମମତା
ଚରିତ୍ର ନିର୍ମାଣ କରେ,
ତାହାରି ମମତା ତାର ଉପଦେଶ
ଆଦର୍ଶ ମନୁଷ୍ୟ କରେ।
ଜୀବନେ ଅମୂଲ୍ୟ ମାଆ ଓ ମମତା
କର୍ମ ଜ୍ଞାନ ବଳି ଦିଏ,
ପ୍ରେମ ଶ୍ରଦ୍ଧା ଭକ୍ତି ତ୍ୟାଗ ଧର୍ମ ସେବା
ମନ୍ତ୍ର ନିସ୍ବାର୍ଥର ଦିଏ।
ଗୃହର କର୍ତ୍ତବ୍ୟ ଜ୍ଞାନେ ଭରି ଦିଏ
ରାଷ୍ଟ୍ର ସେବା ଜ୍ଞାନ ତହିଁ,
ରାଷ୍ଟ୍ର ଭକ୍ତି ଦିଏ ଜୀବନରେ ଭରି
କର୍ତ୍ତବ୍ୟ ଜୀବନେ ଯହିଁ।
ମାତା ଅବଦାନ ଜୀବନେ ଚନ୍ଦନ
ବୋଳୁ ଥିବି ପ୍ରାଣ ଯାଏ,
ନ ଭୁଲିବି କେବେ ମାଆର ମମତା
ସେବୁ ଥିବି ପ୍ରାଣ ଯାଏ।