ନିର୍ବାସିତ ମୁହୂର୍ତ୍ତରେ
ନିର୍ବାସିତ ମୁହୂର୍ତ୍ତରେ
କେହି ବୋଲି ତ କେହି ନାହିଁ
ମୋର ଏହି ନିର୍ବାସିତ ଦୁନିଆରେ ।।
ତଥାପି ଯେମିତି ଲାଗୁଛି
ତୁମେ ଲୁଚି ଦେଖୁଛ, ପରଦା
ଫାଙ୍କରୁ ମୋତେ, ଧରା ପଡ଼ିଯିବାର
ଭୟରେ, ସଂକୋଚିତ ନୟନ
କମ୍ପିତ ପ୍ରାଣ ଆଉ ଅତର୍କିତ ସାବଧାନତା
ଏବେ ତୁମଠି ଯାହାକୁ ଯେତେ ;
ଏଇ ! କାହିଁକି ଏମିତି
ଲୁଚକାଳି ଖେଳ ? କାହିଁକି
ମୋ'ଠୁ ନଜର ଫେରେଇ ନେବାର
ଏକ ମିଛ ପ୍ରୟାସ ? ଆଉ ନିଜ ସହ ଏ ଛଳ !
ଅହେତୁକ ଉଦାସୀନତା, ଅମାପ ଶୁନ୍ୟତା
ପରେ ହିଁ ତ,
ତୁମର ଏ ଅଦ୍ଵିତୀୟ ଆଭାସ
ଅବିଳମ୍ବେ ଜୀବନକୁ ବଂଚି ଯିବାର
ଏକ ଉଚାଙ୍ଗ ଉଚ୍ଛ୍ୱାସ,
ତଥାପି !
କାହିଁକି ଏ ଦ୍ଵନ୍ଦର ଜୟଯାତ୍ରା ?
ଜୀବନ ଆଉ କଣ କି ?
ଥାଳିଏ ଦୁଃଖରେ,ଚାମୁଚାଏ ସୁଖ
ହିଁ ତ ଜୀବନ, କିଛିଟା ଅବିସ୍ମରଣୀୟ
ମୁହୂର୍ତ୍ତ ହିଁ ତ ଜୀବନ । ନା, ଆଉ କଣ
କିଛି ଅଛି କି ?
ଏ ମୁହୁର୍ତ୍ତଗୁଡ଼ିକ ମଧ୍ୟ ଅବଶେଷେ
ଇତର ହୋଇବ, ଆଉ ଏ ଜୀବନ ବି ।
ସେତେବେଳେ ଆଉ କାହାକୁ ଲୁଚି ଦେଖିବ ?
କାହା ପାଇଁ ପ୍ରତୀକ୍ଷାର ନଜର ବିଛେଇ ଦେବ
ଫେରିବା ପଥରେ ? କାହାର ଆଗମନକୁ
ଚିନ୍ତା କରି ଅନ୍ୟମନସ୍କ ହୋଇ ଉଠିବ ?
ଗୁଚ୍ଛା ଗୁଚ୍ଛା ଫୁଲଗୁଚ୍ଛ ମୋ ମର ଶରୀରକୁ
ଆଚ୍ଛାଦିତ କରୁଥିବ, ଅନେକଙ୍କ ମୁହଁରେ
ମୋ ମୁହୂର୍ତ୍ତଗୁଡ଼ିକ ଆଲୋଡ଼ନ କରୁଥିବ,
ସେତେବେଳେ ମୋ ଦୁନିଆ ନୁହଁ, ବରଂ
ମୁଁ ଏ ଦୁନିଆରୁ ନିର୍ବାସିତ ହେଉଥିବି ।।