ନିର୍ବାଣ
ନିର୍ବାଣ


ସ୍ଵପ୍ନର ଇମାରତ ଭାଙ୍ଗିଗଲା ପରେ
ଆଜି ମୁଁ ନିଃସଙ୍ଗ ରିକ୍ତ ହସ୍ତ
ମନ ମୋର ବିଚଳିତ ବିବ୍ରତ ବିରକ୍ତ
ଠିଆ ହୋଇ ତନ୍ଦ୍ରା ନଦୀ ତୀରେ
ଭାଳେ କି ଲକ୍ଷ୍ୟ ମୋ ଛାର ଜୀବନର ।
ବ୍ଯାଧି ଜରା ମୃତ୍ୟୁ ପରାଭବ ଡରେ
ମୁଁ ଭ୍ରମେ ଇତସ୍ତତଃ ପ୍ରମତ୍ତ ଭ୍ରମର ପ୍ରାୟେ
ମଠ ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ୱାର
ନେତ୍ରେ ଭରି ଦୁଃଖ ଅଶ୍ରୁ ଜଳ
କରେ ପ୍ରଣିପାତ ଅବା ଚଢାଏ ଚାଦର ।
କ୍ଷଣିକରେ ମନ ପ୍ରାଣ ହୁଏ ପୁଲକିତ
ଅନୁଭବେ ସର୍ବତ୍ର ଏକ ସ୍ବର ଗୁଞ୍ଜରିତ
କାମନାର ବିନାଶରେ ଦୁଃଖର ବିନାଶ
ଦୁଃଖର ବିନାଶରେ ସର୍ବ ସିଦ୍ଧି ପ୍ରାପ୍ତ ।
ଲୋଡା ନାହିଁ ଆଜି ଆଉ ମୋର
ଧନ ଜନ କାମ ଆଦି ତୁଛ ପଦାର୍ଥ
ମନ ଧ୍ଯାନେ କର୍ଣ୍ଣେ ମୁକ୍ତି ମାର୍ଗ ଉନ୍ମୋଚିତ
ହୃଦୟ କନ୍ଦରେ ବିରାଜିତ ପ୍ରଭୁ ତଥାଗତ ।
ବର୍ଜି ସର୍ବ ଭୋଗ ବିଳାସ ବାସନା
ଅଙ୍ଗେ ଧରି ଗୌରିକ ବସନ
ସାଜିବି ସାଜିବି ମୁଁ ଆଜି ଶ୍ରମଣ
ମୋ ମାର୍ଗ ଚାହିଁ ରହିରହିଛି ନିର୍ବାଣ ।