ନିର୍ବାଚନ ଜୟଯାତ୍ରା
ନିର୍ବାଚନ ଜୟଯାତ୍ରା
(ଜନମତ ରାୟ ମିଳିଗଲା ପରେ)
ଏ ବିଜୟ ଯଦି ହସ୍ତଗତ ହେଲା
ରାଜା ହେବା ପାଇଁ ନୁହେଁ,
ବରଂ ଜନସେବା କରିବା ପାଇଁକି
ଅନୁମତି ପତ୍ର ଇଏ।
ବେକରେ ଲମ୍ଵିଲା ଯଦି ଗେଣ୍ଡୁମାଳ
ପୂଜା ପାଇବାକୁ ନୁହେଁ,
ବରଂ ଜନସେବା କରିବା ପାଇଁକି
ଆଜ୍ଞାମାଳଟିଏ ଇଏ।
ବାଜାବାଣ ରାଲି ଶୋଭାଯାତ୍ରା କରି
ଖୁସି ହୋଇ ଲାଭ ନାହିଁ,
ବରଂ ଆସନର ମର୍ଯ୍ୟାଦା ପାଇଁକି
ବଡ଼ ଦାୟୀତ୍ବଟି ଏହି।
ଯେତେ ଯେଉଁ ଆଡୁ ଶୁଭେଚ୍ଛା ଆସୁଛି
ପ୍ରାର୍ଥୀ ଜିତିଥିଲା ପରେ,
କାହିଁକି ଆସୁଛି ସେସବୁ ଶୁଭେଚ୍ଛା
ଚିନ୍ତାକର ହୃଦୟରେ।
ଭାଗ୍ୟେରାଜଯୋଗ ଥିଲାବୋଲି ଏଠି
ଆସନ ପ୍ରାପ୍ତ ହୋଇଲା,
କିଭଳି ଆସନ ନିର୍ମଳ ରହିବ
ପରୀକ୍ଷା ବେଳ ଆସିଲା।
ରାଜା ଭାବି ମନେ ଗର୍ବିତ ନହୋଇ
ସେବକ ବୋଧ ଜ୍ଞାନରେ,
ପରୋପକାରରେ ବ୍ରତୀ ହେଲେ ଯାଇ
ସମ୍ମାନ ଏଠାରେ ମିଳେ।
ପୂର୍ବେ ଯୁଦ୍ଧିଷ୍ଠିର ଅବା ରଘୁବୀର
କେଉଁ ଭଳି ରାଜାଥିଲେ,
ଶ୍ଵାନଟିଏ ମଧ୍ୟ ନ୍ୟାୟ ପାଉଥିଲା
ତାଙ୍କ ରାଜ ଦରବାରରେ।
ରାଜ ମୁକୁଟକୁ ମସ୍ତକେ ପିନ୍ଧିଲେ
କେହି ରାଜା ହୁଏ ନାହିଁ,
ବରଂ ପ୍ରତିହୃଦେ ଯେ ବସି ପାରଇ
ପ୍ରକୃତ ରାଜାଟି ସେହି।
ଇଏ ଭୋଟ୍ଦେଲା କିଏ ବା ନଦେଲା
ସେ କଥା ମନେ ନ ଆଣି,
ସମଭାବ ସମ ନ୍ୟାୟ ବାଣ୍ଟି ଦେଲେ
ହୃଦୟ ପାରିବ ଜିଣି।
ପଦବୀ ମୋହରେ ପଥ ହୁଡ ନାହିଁ
ଆହେ ଜନ ପ୍ରତିନିଧି,
ଆଶା ଭରଷାର ମାନେ ବୁଝ ବାବୁ
ସ୍ବାର୍ଥରେ ନ ହୋଇ ଛନ୍ଦି।
ପଦବୀ ଲାଳସା ମୋହେ ପଡ଼ନାହିଁ
ରାଜସ୍ବ ନଷ୍ଟ ନକରି,
ବରଂ ରାଜସ୍ଵର ସୁରକ୍ଷା ପାଇଁକି
ଆପଣ ସୁରକ୍ଷାକାରୀ।
ଗଣତନ୍ତ୍ର ଏଠି ନ୍ୟାୟବନ୍ତ ହେବ
ଆପଣଙ୍କ ସାନ୍ନିଧ୍ୟରେ,
ସେ ଗଣତନ୍ତ୍ରକୁ ଜଣତନ୍ତ୍ର କଲେ
ଦେଶ ଯାଏ ରସାତଳେ।
ହେ ଜନନାୟକ ହୁଅ ଧର୍ମାଶୋକ
ଚଣ୍ଡାଶୋକ ହୁଅ ନାହିଁ,
ଅର୍ଜୁନଙ୍କ ଭଳି ବୀର ହୋଇଯାଅ
ଆତ୍ମୀୟୀତା ଭାବ ବହି।
ଅନେକ ସମସ୍ୟା ସମାଧାନ ପାଇଁ
ଦାୟୀତ୍ବ ଆପଣଙ୍କର,
ଗାନ୍ଧୀ ଗୋପବନ୍ଧୁ ନେତାଜୀଙ୍କ ଭଳି
ହେବା ଏଠି ଦରକାର।
ଆପଣଙ୍କ ଗ୍ରାମ ଆପଣଙ୍କ ରାଜ୍ୟ
ଏ ଦେଶ ଆପଣଙ୍କର ,
କେମିତି ଏସବୁ ଉନ୍ନତି ହୋଇବେ
ଏଥର ବିଚାର କର।
