ନିଜଠୁ ଯାଇଛି ହାରି
ନିଜଠୁ ଯାଇଛି ହାରି
ହୃଦୟ ଅଳିନ୍ଦ କନ୍ଦରରେ ଯାର
ସୁନ୍ଦର ମୂରତି ଶୋହେ,
ନିଶ୍ଵାସର ବାସ ବାସୁଥିବା ଯାଏଁ
ସିଏ କଣ ପର ହୁଏ ।
ଅନ୍ତରରେ ମୋର ଝଂକୃତ କାହାରି
ଅନ୍ତର ମନର ସୂର,
ଯୁଗଳ ବନ୍ଦୀର ପୀରତି ମୂର୍ଚ୍ଛନା
ଆହା କେଡେ ସୁମଧୁର ।
ସେହି ସୁମଧୁର ସଙ୍ଗୀତ ଝଂକାରେ
ବିହ୍ଵଳିତ ମନ ପ୍ରାଣ,
ନିଜର ଠିକଣା ନିଜେ ଭୂଲି ଯାଇ
ଲେଖିଦିଏ କାର ନାମ।
ଲାଜୁଆ ଆଖିମୋ ନିରେଖିଛି ତୁମ
ଆଖି ତଳର ସିନିହଁ,
ଅନତି ଦୂରରୁ କଳି ନେଇଛି ଗୋ
ମତେ କେତେ ଭଲପାଅ !
ଏମିତି ସିନିହଁ ଆନ୍ତରିକତା ମୁଁ
ପାଇତ ନଥିଲି କାହିଁ,
ଜନ୍ମ ଜନ୍ମାନ୍ତର ଅତୁଟ ବନ୍ଧନେ
ବନ୍ଧା ଆମେ ପ୍ରାଣ ସହି।
ଆତ୍ମା ନିଳୟର ମନ-ଚକ୍ଷୁ ଦ୍ଵାର
ଯାଇଛି ଯା ପାଇଁ ଖୋଲି,
ନିବୁଜ ଆଖିର ଉହାଡେବି ଦିଶେ
ତାର ପ୍ରତିଛବି ଖାଲି।
ସମର୍ପିତା ତାର ଦେହ ମନ ପ୍ରାଣ
ଅତିନ୍ଦ୍ରୀୟତାରେ ଭରି,
ନିମଜ୍ଜିତା ଏଇ ସରମି ଲତିକା
ନିଜଠୁ ଯାଇଛି ହାରି ।