ନିଜକୁ ପ୍ରଶ୍ନ
ନିଜକୁ ପ୍ରଶ୍ନ
ଯାହା ମୁଁ ଦେଖୁଛି ସବୁ ତ ରହସ୍ଯ
ବିଚାର କରୁଛି ରହି
କିଏ ମୁଁ କେଉଁଠୁ ଆସିଛି ଏଠିକି
କିଏ ସେ ପାରିବ କହି ।
ଏଠାକାର ମୋର କାମ ଶେଷ ହେଲେ
କେଉଁଠିକି ଯିବି ମୁହିଁ
ଏଇଠି ମୋର କର୍ତ୍ତବ୍ଯ କଅଣ
ଭାବୁଅଛି ବସି ମୁହିଁ ।
ନିଜକୁ ନିଜେ ମୁଁ ପଚାରୁଛି ପ୍ରଶ୍ନ
ଉତ୍ତର ଖୋଜୁଛି ତାର
ରହସ୍ଯକୁ ଭେଦ କରିବି କିପରି
କିଏ ଦେବ ଏ ଉତ୍ତର ।
ସବୁ ପ୍ରଶ୍ନର ତ ଉତ୍ତର ରହିଛି
କାହିଁ ମୋ ପ୍ରଶ୍ନ ଉତ୍ତର
ଖୋଜି ଖୋଜି ଯାହା ନିଷ୍କର୍ଷ ମିଳିଲା
କହୁଛି ତୁମ ପାଶର ।
ଯେଉଁଠୁ ଆସିଛି ସେଇଠିକି ନିଶ୍ଚେ
ଦିନେ ହେଲେ ମୁହିଁ ଯିବି
ପ୍ରଭୁଙ୍କ ଭିତରୁ ଆସିଅଛି ଶେଷେ
ସେଇଠିକି ମୁଁ ଫେରିବି ।
ଅଭିନୟ ଏବେ କରିବା ପାଇଁକି
ଆସିଛି ତାଙ୍କ ପାଖରୁ
ତାଙ୍କରି ଲୀଳାର ଅଂଶ ମୁଁ ହୋଇଛି
ଫେରିବି ତାଙ୍କ କୃପାରୁ ।
ଏଇଠି ମୋ ନିଜ କର୍ତ୍ତବ୍ଯ ନିଭାଇ
ସ୍ୱଧର୍ମରେ ରହି ମୋର
ସମୟ ଆସିଲେ ଲେଉଟି ଯିବି ମୁଁ
ତହିଁ ମୋର ନିଜ ଘର ।
ଏ ରହସ୍ଯ ପେଡି ଖୋଲିଗଲା ଏବେ
ଚିନ୍ତିତ ହେବି କିପାଇଁ
ସୁରକ୍ଷିତ ମୋର ଘରକୁ ଫେରିବି
ନିଜ ଧରମ ନିଭାଇ ।
