STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ନୀରବତା

ନୀରବତା

2 mins
402

       

ଜ୍ଞାନୀ, ମୁନି,ଗୁଣୀ,କବି,ଭାବୁକ ,ପ୍ରେମିକ 

ସର୍ବେ ନୀରବତାର ପୂଜାରୀ

ଜପ,ତପ,ଶିକ୍ଷା ଅବା ସାଧନ କ୍ଷେତ୍ରରେ

ପ୍ରାୟ ନୀରବତା ସର୍ବୋପରି

ନୀରବତା ସାଥେ ଲୁଚି ରହିଅଛି କେତେ

ଶବ୍ଦ ବିହୀନ ସ୍ୱର ସମ୍ଭାର

ଶବ୍ଦ ଠାରୁ ବେଶି କଥା କହେ ନୀରବତା

ଭାଷା ବିନା ଭାବ ହୃଦୟର 

ଆତ୍ମ ଅନୁଶୀଳନ ଅବା ଅନୁସନ୍ଧାନ

ନୀରବତା ପ୍ରକ୍ରିୟା ଧାରାରେ

ଶରୀର ଭିତରେ ଆତ୍ମା ସହ ଆଲୋଚନା 

ନୀରବତା ଅବଲମ୍ବନରେ

କବିର ଲେଖନୀ ଯଦିଓ ଚଳ ଚଞ୍ଚଳ

ଶବ୍ଦ ଗତି ନୀରବତା ଧାରେ

ପ୍ରେମୀ ଯୁଗଳଙ୍କ ପ୍ରୀତି ପରିଭାଷା ବ୍ୟକ୍ତ

ପ୍ରାୟ ନୀରବତା ଓଠ ଧାରେ

ପଥ ଧାରେ ଯାତ୍ରୀ ଅଗ୍ରସର କ୍ରମାଗତ

ପାଦ ନୀରବତା ଭାବ ଧାରେ

ବନେ ଅବା ମନ ଉପବନେ ନୀରବତା

ଫୁଲର ମହକ ପବନରେ

ସମୁଦ୍ର ଗର୍ଜନ ଅନୁମେୟ ସହଜରେ 

ନୀରବତା ଢେ଼ଉ ଅଭ୍ୟନ୍ତରେ

ମେଘର ଗର୍ଜନ ଅବା ଭୟଙ୍କର ରୂପ

ବର୍ଷା ଝରେ ନୀରବତା ଧାରେ

ପାଠାଗାର ପରିବେଶ ପ୍ରାୟ ନୀରବତା

ପୁସ୍ତକ ଭିଡ଼ ଅତି ମାତ୍ରାରେ

ନୀରବତା ସହ ତୂଳୀ ଗତି କରେ ଧୀରେ

ଗୌରବ ଚିତ୍ରକାର ନାମରେ


ନୀରବତା ଆଢ଼ୁଆଳେ ଲୁକାୟିତ ବାର୍ତ୍ତା

ପ୍ରତିଧ୍ଵନି ହୃଦୟ ଭିତରେ

ବିଶ୍ଳେଷଣ ଅହରହ ବିବେକ ସହିତ

ଫେରି ଆସି ରହୁଛି ମନରେ

ବେଳେବେଳେ ନୀରବତା ଅସୁମାରୀ ଆଶା

ଚାପି ରଖି ମନରେ ଯନ୍ତ୍ରଣା

ମନର ବେଦନା ରୂପାୟିତ ନୀରବରେ

ନିଶବ୍ଦେ ଝଙ୍କୃତ ହୃଦ-ବୀଣା

ନୀରବତା ଅବଲମ୍ବନ ସହିତ ପ୍ରତୀକ୍ଷା

ନ ପାଇ ବି ପାଇବାର ଆଶା

ମନରେ ଜିଜ୍ଞାସା ମନୋଭାବ ଅହେତୁକ

ସତେ ଅବା ମେଣ୍ଟିବ ପିପାସା

ନୀରବତା ବୋଧେ ସୁଯୋଗ ପରି ପ୍ରତ୍ୟୟ

ସତେ ଅବା ଘଣ୍ଟି ମନ୍ଦିରର

ହାତ ଛଡା ନ କରି ସୁଯୋଗ, ବାଜି ଉଠେ

ତୁହାକୁ ତୁହା ଓ ବାରମ୍ବାର

ସମ୍ପର୍କ ଏବଂ ଶତ୍ରୁତା ସହ ମଧ୍ୟସ୍ଥତା 

ସାର୍ଥକତା ଲଭେ ନୀରବତା

ସ୍ମୃତି ରୋମନ୍ଥନ ସହ ଚାପି ହୁଏ ବ୍ୟଥା

ତିକ୍ତ ଅନୁଭୂତି ହିଁ ସାଇତା

ନୀରବତା ର ଆବଶ୍ୟକତା ବି ଅଛି

ଦୁର୍ବଳତା ନୁହେଁ ନୀରବତା

ନୀରବତା ଅସ୍ତ୍ର ପ୍ରୟୋଗରେ ପ୍ରାପ୍ତି

ବିଚଳିତ ମନେ ଏକାଗ୍ରତା

ନୀରବତା ର ପଦ ଚିହ୍ନ ମନ ମନ୍ଦିରେ

ପ୍ରିୟା ସାନ୍ନିଧ୍ୟରେ ଉଜ୍ଜୀବିତ

ନୀରବରେ ରହି ଆଖିରେ ସୂଚନା ପ୍ରାପ୍ତି

ତନ ମନ ହୁଏ ଉଲ୍ଲସିତ

ନୀରବତା ସୃଷ୍ଟି କରେ ପ୍ରଶ୍ନର ପାହାଡ

ଉତ୍ତର କୁହୁଳିକା ଭିତରେ

ଅଜଣା ପଥିକ ବାଟ ବଣା ହେଲା ପରି

ଅଥୟ ଅଜଣା ଠିକଣାରେ

ପ୍ରିୟାର ଅଭିମାନୀ ମନରେ ଜାଗି ଉଠେ

ନୀରବତା ର ଉଜାଣି ଢେ଼ଉ

ମାନଭଞ୍ଜନ ର ବାର୍ତ୍ତା ହୁଏ ପ୍ରସାରିତ

ବାହୁ ବନ୍ଧନରେ ଥାଉ ଥାଉ

ନୀରବତା ଏକ ଆବେଗତା ହୃଦୟର

ନୀରବତା ଆଢ଼ୁଆଳେ ବାର୍ତ୍ତା

ହୃଦୟ ତଳର ଭାଷା ବୁଝି ଗଲେ ଥରେ

ନୀରବତା କହିବ ତା' କଥା 

ନୀରବତା, ସାଧନାର ଉତ୍ସ ପରି ସ୍ପଷ୍ଟ

ସାଧକ ର ଚିନ୍ତା ଚେତନାରେ

ହୃଦୟରେ ଆତ୍ମ ଜ୍ଞାନ ହୁଏ ବିକଶିତ

ଦିବ୍ୟ ଜ୍ଞାନ ପ୍ରାପ୍ତି ସହଜରେ

ଅବ୍ୟକ୍ତ ଅସହ୍ୟ ବେଦନାରେ ଜର୍ଜରିତ

ପରେ ପରେ ନୀରବତା ପନ୍ଥା

କେହି ପୁଣି ଦେଖି ନୀରବତା ର ସୁଯୋଗ  

ଦେଇଥାନ୍ତି ହୃଦୟରେ ବ୍ୟଥା

ନୀରବରେ ପ୍ରତିବାଦର ବାର୍ତ୍ତା ବି ରହିଛି

ଦାବୀ ହାସଲ ର ଏକ ପନ୍ଥା

ଅଯଥା କଥାବାର୍ତ୍ତା ରୁ ବର୍ତ୍ତିବା ନିମନ୍ତେ

ଶ୍ରେଷ୍ଠ ଉପାୟ ବି ନୀରବତା

ତିକ୍ତ ହୁଏ ପ୍ରାଣ କୋଳାହଳ ପରିବେଶେ 

ମନ ଚାହେଁ ନୀରବତା କ୍ଷେତ୍ର

ଶିକ୍ଷାଳୟ,ମନ୍ଦିର ଓ ସଭା ସମିତିରେ

ନୀରବତା ହିଁ ସ୍ୱଚ୍ଛ ଓ ପବିତ୍ର


ମାନବିକତା ଓ ନୀରବତା ଲୁପ୍ତ ପ୍ରାୟ 

ସମାଜର ପ୍ରତ୍ୟେକ କ୍ଷେତ୍ରରେ

ଶବ୍ଦ ସମ ପ୍ରଦୂଷଣ ବ୍ୟାପିଛି ସର୍ବତ୍ର

ପ୍ରାୟ ମାଟି ପାଣି ପବନରେ

ପରିଣତି ବୟସରେ ବୃଦ୍ଧ ପିତାମାତା

ବଞ୍ଚି ରହୁଛି ନୀରବତାରେ

ଅକର୍ମ କୁକର୍ମ ଦୁଷ୍କର୍ମ ସର୍ବ ସମ୍ମୁଖେ 

ସହ୍ୟ ହେଉଛି ନୀରବତାରେ

ନୀରବତା ଭଙ୍ଗ କରି ବେତାଳ କିମ୍ପାଇଁ 

କହିବ ଜହ୍ନମାମୁଁ କାହାଣୀ

କବିତା ଓ ଗପ ନିତି ଲେଖୁଛି ଲେଖକ

କିଏ ପଢ଼ୁଛି କି ନୀରବରେ !!!??

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract