ନୀରବତା ର ବାର୍ତ୍ତା
ନୀରବତା ର ବାର୍ତ୍ତା
ନୀରବତା ଆଢ଼ୁଆଳେ ଲୁକାୟିତ ବାର୍ତ୍ତା
ପ୍ରତିଧ୍ଵନି ହୃଦୟ ଭିତରେ
ବିଶ୍ଳେଷଣ ଅହରହ ବିବେକ ସହିତ
ଫେରି ଆସି ରହୁଛି ମନରେ
ବେଳେବେଳେ ନୀରବତା ଅସୁମାରୀ ଆଶା
ଚାପି ରଖି ମନରେ ଯନ୍ତ୍ରଣା
ମନର ବେଦନା ରୂପାୟିତ ନୀରବରେ
ନିଶବ୍ଦେ ଝଙ୍କୃତ ହୃଦ-ବୀଣା
ନୀରବତା ଅବଲମ୍ବନ ସହିତ ପ୍ରତୀକ୍ଷା
ନ ପାଇ ବି ପାଇବାର ଆଶା
ମନରେ ଜିଜ୍ଞାସା ମନୋଭାବ ଅହେତୁକ
ସତେ ଅବା ମେଣ୍ଟିବ ପିପାସା ।
ନୀରବତା ବୋଧେ ସୁଯୋଗ ପରି ପ୍ରତ୍ୟୟ
ସତେ ଅବା ଘଣ୍ଟି ମନ୍ଦିରର
ହାତ ଛଡା ନ କରି ସୁଯୋଗ, ବାଜି ଉଠେ
ତୁହାକୁ ତୁହା ଓ ବାରମ୍ବାର
ସମ୍ପର୍କ ଏବଂ ଶତ୍ରୁତା ସହ ମଧ୍ୟସ୍ଥତା
ସାର୍ଥକତା ଲଭେ ନୀରବତା
ସ୍ମୃତି ରୋମନ୍ଥନ ସହ ଚାପି ହୁଏ ବ୍ୟଥା
ତିକ୍ତ ଅନୁଭୂତି ମନରେ ସାଇତା ।
ନୀରବତା ର ଆବଶ୍ୟକତା ବି ଅଛି
ଦୁର୍ବଳତା ନୁହେଁ ନୀରବତା
ନୀରବତା ଅସ୍ତ୍ର ପ୍ରୟୋଗରେ ପ୍ରାପ୍ତି
ବିଚଳିତ ମନେ ଏକାଗ୍ରତା
ନୀରବତା ସହ ଓଦା ଆଖି ପତା ଭାଷା
ପଢ଼ି ହୁଏ ହୃଦୟ ର କଥା
ପ୍ରେମୀ ଯୁଗଳଙ୍କ ଓଠ ନୀରବ ରେ ରହି
ମାପି ହୁଏ ଦେହର ଉଷ୍ମତା
ନୀରବତା ର ପଦ ଚିହ୍ନ ମନ ମନ୍ଦିରେ
ପ୍ରିୟା ସାନ୍ନିଧ୍ୟରେ ଉଜ୍ଜୀବିତ
ନୀରବରେ ରହି ଆଖିରେ ସୂଚନା ପ୍ରାପ୍ତି
ତନ ମନ ହୁଏ ଉଲ୍ଲସିତ ।
ନୀରବତା ସୃଷ୍ଟି କରେ ପ୍ରଶ୍ନର ପାହାଡ
ଉତ୍ତର କୁହୁଳିକା ଭିତରେ
ଅଜଣା ପଥିକ ବାଟ ବଣା ହେଲା ପରି
ଅଥୟ ଅଜଣା ଠିକଣାରେ
ପ୍ରିୟାର ଅଭିମାନୀ ମନରେ ଜାଗି ଉଠେ
ନୀରବତା ର ଉଜାଣି ଢେ଼ଉ
ମାନଭଞ୍ଜନ ର ବାର୍ତ୍ତା ହୁଏ ପ୍ରସାରିତ
ବାହୁ ବନ୍ଧନରେ ଥାଉ ଥାଉ ।
ନୀରବତା ଏକ ଆବେଗତା ହୃଦୟର
ନୀରବତା ଆଢ଼ୁଆଳେ ବାର୍ତ୍ତା
ହୃଦୟ ତଳର ଭାଷା ବୁଝି ଗଲେ ଥରେ
ନୀରବତା କହିବ ତା' କଥା
ନୀରବତା, ସାଧନାର ଉତ୍ସ ପରି ସ୍ପଷ୍ଟ
ସାଧକ ର ଚିନ୍ତା ଚେତନାରେ
ହୃଦୟରେ ଆତ୍ମ ଜ୍ଞାନ ହୁଏ ବିକଶିତ
ଦିବ୍ୟ ଜ୍ଞାନ ପ୍ରାପ୍ତି ସହଜରେ ।
ଅବ୍ୟକ୍ତ ଅସହ୍ୟ ବେଦନାରେ ଜର୍ଜରିତ
ପରେ ପରେ ନୀରବତା ପନ୍ଥା
କେହି କେହି ନୀରବତା ର ସୁଯୋଗ ନେଇ
ଦେଇଥାନ୍ତି ହୃଦୟରେ ବ୍ୟଥା
ନୀରବରେ ପ୍ରତିବାଦର ବାର୍ତ୍ତା ବି ରହିଛି
ଦାବୀ ହାସଲ ର ପନ୍ଥା
ଅଯଥା କଥାବାର୍ତ୍ତା ରୁ ବର୍ତ୍ତିବା ପାଇଁ
ଶ୍ରେଷ୍ଠ ଉପାୟ ନୀରବତା
ତିକ୍ତ ହୁଏ ପ୍ରାଣ କୋଳାହଳ ପରିବେଶେ
ମନ ଚାହେଁ ନୀରବତା କ୍ଷେତ୍ର
ଶିକ୍ଷାଳୟ,ମନ୍ଦିର ଓ ସଭା ସମିତିରେ
ନୀରବତା ହିଁ ସ୍ୱଚ୍ଛ ଓ ପବିତ୍ର ।।
