ନୀରବ ଝଡ଼
ନୀରବ ଝଡ଼
ରାଗ- ଚୋଖି
(୮ ୮ ୧୩//୮ ୮ ୧୩ //୯ ୧୩)
ନୀରସ ଜୀବନ ମୋର,
ନାହିଁ କିଛି ସ୍ନେହାଦର,
ନିରବେ ଭାବଇ ମୁହିଁ ଏକାନ୍ତେ ବସି ।
ନୀରଧି ବେଳାରେ ବସି,
ନୀରଦକୁ ଚାହେଁ ହସି,
ନୀରବରେ ହସୁଥାଏ ଆକାଶେ ଶଶୀ ।
ନିର୍ଭୟରେ ଆସଇ ଝଡ,
ନିଭୃତ ହୃଦୟ ମଧ୍ୟେ ଜନ୍ମଇ ଜାଡ ।।
ନୀସ୍ପୃହ ସଂସାର ମୋର,
ନିସ୍ୱ ମୁହିଁ ଜଗତର,
ନିହାତି ଅବହେଳିତ ଜୀବନ ମୋର ।
ନିସ୍ତେଜ ମୋର ଶରୀର,
ନିସ୍ତାରକ ଅବିଚାର,
ନିସ୍ତରିବା ପାଇଁ ମୁହିଁ କରେ ଜୁହାର ।
ନିସ୍ତାର କର ହେ ଠାକୁର,
ନିରବ ଝଡ଼ ନେଲାଣି ଜୀବନ ମୋର ।।<
/p>
ନିଷୁପ୍ତିରେ କି ଶୋଇଛ,
ନିଶ୍ଚଳ ହୋଇ ବସିଛ,
ନିର୍ବେଦରେ ଜଳି ଜଳି ମରଇ ମୁହିଁ।
ନିଶ୍ଚେଷ୍ଟତା ଆସେ ମାଡ଼ି,
ନିଃଶ୍ବାସ ଯାଉଛି ଉଡି,
ନିଶ୍ଚୟରେ ଏ ଜଗତେ ପାରେନି ରହି।
ନିଶାଚର ଆସଇ ମାଡ଼ି,
ନିର୍ବ୍ୟାଜ୍ୟ ମନ ମୋହର ଯାଏ ସେ ଛାଡି ।।
ନିଷ୍କଣ୍ଟକ କର ମତେ,
ନିଷ୍କପଟେ ଡାକେ ତୋତେ,
ନିଷ୍କରୁଣ ହୁଅ ନାହିଁ ଆହେ ଠାକୁର ।
ନିଷ୍କର୍ଷ କରୁଛି ମୁହିଁ,
ନିଷ୍କାମ ଚିତରେ ରହି,
ନିଷ୍କଳଙ୍କ ବୋଲି ଭାବେ ମୁହିଁ ପାମର ।
ନିଷ୍ଠାରେ ତୁମକୁ ଡାକଇ,
ନିଷ୍କୃତି କର ହେ ତୁମେ ଜଗତ ସାଇଁ ।।