ନୀଳଚକ୍ର
ନୀଳଚକ୍ର


ଦେବାୟୁଧ ତୁମେ ଆହେ ନୀଳଚକ୍ର
ତୁମେ ପତିତପାବନ ।
ଅଷ୍ଟ ଅରଯୁକ୍ତ ହୋଇଛ ସଂଯୁକ୍ତ
ବାନା ପତିତପାବନ ।୧।
ଗରୁଡସେବକ ସେବକ ତୁମର
ବାନ୍ଧନ୍ତି ଯତନେ ବାନା ।
ନିତି ନିତି ସନ୍ଧ୍ୟା ସମୟ ଆସିଲେ
ଉଲାଗି ହୁଅଇ ସିନା ।୨।
ବାନା ନ ଉଡିଲେ ତୁମରି ଉପରେ
ହେବ କି କେବେ ମଣୋହି ?
ଦୂରେ ଥାଇ ଭୋଗ ଦେଖାଇ ତୁମକୁ
କରନ୍ତି ଚକ୍ରମଣୋହି ।୩।
ଯେଉଁ ବାନା ଉଡେ ତୁମରି ଉପରେ
ପାଦୁକଖିଆ ସେ ବାନା।
ପତିତପାବନ ନାମେ ଜଣାଶୁଣା
ପତିତ ତାରଇ କିନା ।୪।
p>
ସରଘରୁ ମିଠା ଯେତେକ ବାହାରେ
ତୁମକୁ ଅର୍ପିତ ହୋଇ ।
ଆନନ୍ଦ ବଜାରେ ମିଳଇ ସେ ଭୋଗ
ଭକତେ ଆନନ୍ଦ ପାଇ ।୫।
ଯେତେ ଏକାଦଶୀ ଆସେ ମହାଦୀପ
ତୁମରି ପାଶକୁ ଉଠେ ।
କୋଟି ପରାଣକୁ ଆଲୋକିତ କରି
ଆନନ୍ଦ ଲହରୀ ଛୁଟେ ।୬।
ଗରୁଡ ସୁମରି ଗରୁଡସେବକେ
ତୁମରି ଉପରେ ବାନା ।
ବାନ୍ଧିବା ପାଇଁକି ଚଢି ଶ୍ରୀମନ୍ଦିରେ
କରନ୍ତି ପୂଜା ଅର୍ଚ୍ଚନା ।୭।
ଭକତଙ୍କ ଶ୍ରଦ୍ଧା ବିଶ୍ବାସ ପ୍ରତୀକ
ସଦା ତୁମେ ନୀଳଚକ୍ର ।
ତୁମରି ଆଶ୍ରିତ ହୋଇଛି ମୁଁ ମୋତେ
ତୁମ ଛାୟା ତଳେ ରଖ ।୮।