ନୀଳଚକ୍ର
ନୀଳଚକ୍ର
ତୋର ଶ୍ରୀମନ୍ଦିର ନୀଳଚକ୍ରେ ଜଗା
ବାନା ଉଡେ ଫରଫର
ଯିଏ ଆସେ ପାଖେ ନେଉ ତୁ କୋଳେଇ
ନ ଥାଏ ଆପଣା ପର ।
ଖୋଲା ରଖି ଥାଉ ତୋ ସିଂହ ଦୁଆର
ତୋହରି ଭକତ ପାଇଁ
ପାପୀ ଅବା ତପୀ ହେଇଥାଉ ସିଏ
ନେଉ ତୁ ହାତ ବଢେଇ ।
ତୋ ପାଖରେ ଛୁଆଁ ଅଛୁଆଁ ନଥାଏ
ତୋ ମହାପ୍ରସାଦ ଯିଏ ଖାଇଥାଏ
ହାତ ମାରେ ସେ ମୁଣ୍ଡର ।
ତୁ ଏକା ଭକତର ।
କେତେ ପୁଣ୍ୟ କରିଥିଲା ନୀଳଚକ୍ର
ଲାଗିଲା ମନ୍ଦିରେ ତୋର
ପତିତପାବନ ତୋହରି ଦେହରେ
ଉଡୁ ଥାଏ ଫରଫର ।
ଭକ୍ତି ଭାବେ ଯିଏ ନୀଳଚକ୍ର ଚାହେଁ
ଜଗନ୍ନାଥ ଦେଖାଯାନ୍ତି
ସକଳ ରିଷ୍ଟକୁ ଖଣ୍ଡନ କରିଣ
ପାପକୁ ବିନାଶି ଥାନ୍ତି ।
ତୋ ନୀଳଚକ୍ରର କ'ଣ ଛାଇ ନାହିଁ
ଦେଖି କେବେ ଜଗା ପାରିଲିନି ମୁହିଁ
ମନ୍ଦିରେ କଲି ନଜର ।
ଭିଡ ଥିଲା ଭକତର ।
ଯୁଆଡେ ଚାହିଁଲେ ତୋର ନୀଳଚକ୍ର
ଫର ଫର ଉଡୁଥାଏ
ଏଇ ମନ ଖାଲି ଚଗଲାମୀ ହୁଏ
ତୋ ଆଡକୁ ଚାହୁଁ ଥାଏ ।
ତୋ ଅରୁଣ ସ୍ତମ୍ଭ ଆହାଃ କି ସୁନ୍ଦର
ସୁନ୍ଦର ତୋ ଚକାଆଖି
ଭୁଲି ତ ହୁଏନା ତୋ ସନ୍ଧ୍ୟା ଆଳତୀ
ଆଖି ଯାଉ ଥାଏ ଲାଖି
ତୋତେ ଦେଖୁଥିଲେ ଗରୁଡ ପଛରେ
ଚମକ ଖେଳଇ ମନ ହୃଦୟରେ
ତୋ ପାଦେ କୋଟି ଜୁହାର ।
ନୀଳଚକ୍ର ଟାଣେ ତୋର ।
ଶ୍ରୀମନ୍ଦିର ଉଚ୍ଚତା ଛ'ଷଠି ମିଟର
ଚୂଡାରେ ରହିଛୁ ତୁହି
କୋଟି କୋଟି ଭକ୍ତ ତନୁ ମନ ସବୁ
କ୍ଷଣିକେ ନେଉଛୁ ମୋହି ।
ବଡ ଦାଣ୍ଡ ଥାଇ ଭକତ ଦେଖିଲେ
କେତେ ହେଇଯାନ୍ତି ଖୁସି
କି ମନ୍ତର କରୁ ସତେ ନୀଳଚକ୍ର
ଆସନ୍ତି ହେଇ ଆକର୍ଷି ।
ରଥେ ଜଗନ୍ନାଥ ଯେବେ ବସିଥାନ୍ତି
ତୋତେ ସିଏ ପୁଣି ସାଥେ ଆଣିଥାନ୍ତି
କରନ୍ତି ନି କେବେ ଅନ୍ତର ।
ସିଏ ଏକା ଭକତର ।
