ନୀଳଚକ୍ର ଭକ୍ତ ଓ ସେବକ
ନୀଳଚକ୍ର ଭକ୍ତ ଓ ସେବକ
ନୀଳ ପର୍ବତ ଶୀର୍ଷରେ ନୀଳମାଧବ
କଳାର ମହାନାୟକ
ଜଗତର ହିତ ସାଧନ ନିମନ୍ତେ
ଜଗନ୍ନାଥ ନାମ ଧାରକ
ନୀଳ-ସାଗର ତୀରରେ ନୀଳଗିରି
ନୀଳାଚଳ ପର୍ବତରେ
ନିଳାଦ୍ରୀ ନାଥଙ୍କ ମନ୍ଦିର ସ୍ଥାପିତ
ନୀଳ ପର୍ବତ ଶୀର୍ଷରେ
ସେ ନୀଳ ପର୍ବତର ଶଙ୍ଖ ମଧ୍ୟରେ
ଶତଦଳ ପଦ୍ମ ଯୁକ୍ତ
ସୁଶୋଭିତ ରତନ ସିଂହାସନରେ
ଦାରୁବ୍ରହ୍ମ ବିରାଜିତ
ଶ୍ରୀମନ୍ଦିର ଶୀର୍ଷ ଦେଶେ ନୀଳଚକ୍ର
ନୀଳଚକ୍ରେ ଉଡେ ନେତ
ପତିତ ପାବନ ବୋଲି ଅଛି ଖ୍ୟାତ
ଭକ୍ତ-ଗଣ ଙ୍କୁ ବିଦିତ ।
ପତିତପାବନ ବାନା ର ଧାରକ
ବିଜେ ଶ୍ରୀମନ୍ଦିର ଚୁଡ଼ାରେ
ନୀଳଚକ୍ର ଦେବାୟୁଧ ସୁଦର୍ଶନ
ଦିଗ ର ସୂଚନା କରେ
ଚକ୍ର ନାରାୟଣ ରୂପେ ନୀଳଚକ୍ର
ମିଳନର ସୁତ୍ରଧର
ନୀଳଚକ୍ର ପୁଣି ସୁଦର୍ଶନ
ଦୁହେଁ ଅଭିନ୍ନ ରୂପର
ସ୍ଵୟଂ ବିଷ୍ଣୁ ଦାରୁରୁପୀ ଜଗନ୍ନାଥ
ହସ୍ତ୍ ପାଦ ନ ଥାଇ
ବିରାଜିତ ହେଲେ ନୀଳାଚଳ କ୍ଷେତ୍ରେ
ଭକ୍ତଙ୍କ ଉଦ୍ଧାର ପାଇଁ
ସୁଦର୍ଶନ ର ଅହଙ୍କାର ସ୍ବଭାବ
ପ୍ରଭୁ ଜାଣିଲେ ଅନ୍ତରେ
ଭକ୍ତ ଓ ସେବକ ଦାୟିତ୍ଵ ସହିତ
ରଖି ଭିତରେ ବାହାରେ
ନୀଳାଚଳେ ସୁଦର୍ଶନ ଦୁଇ ରୂପେ
ଭକ୍ତ ଓ ସେବକ ରୂପ
ସ୍ତମ୍ବାକାର ରତ୍ନ ସିଂହାସନ ପାଶେ
ଶୀର୍ଷରେ ଚକ୍ର ର ରୂପ
ସୂର୍ଯ୍ୟଙ୍କର ତେଜ ପ୍ରଖର ହେବାରୁ
ସୃଷ୍ଟି ଧ୍ଵଂସ ହେବା ଜାଣି
ସୁଦର୍ଶନ,ତ୍ରିଶୂଳ,ବଜ୍ର ବିଭକ୍ତ
ସେହି ରୂପେ ସେଇ କ୍ଷଣି
ରାକ୍ଷସ ଙ୍କ କବଳରୁ ସୃଷ୍ଟି ରକ୍ଷା
ଯେବେ ହେଲା ଅତିଶୟ
ବିଷ୍ଣୁ ଆରାଧନା କଲେ ଦେବଗଣ
ମନେ ବାଞ୍ଛିଲେ ଉପାୟ
ଅସ୍ତ୍ର ଶୂନ୍ୟ ବିଷ୍ଣୁଙ୍କର କଥା ଶୁଣି
ଏକତ୍ରିତ ଦେବଗଣ
ସ୍ୱ ସ୍ୱ ଶକ୍ତି ପ୍ରଦାନ ପୂର୍ବକ ଅସ୍ତ୍ର
ହୋଇ ପାରିଲା ନିର୍ମାଣ
ସେହି ଅସ୍ତ୍ର ସୁଦର୍ଶନ ନାମେ ବ୍ୟକ୍ତ
ବିଷ୍ଣୁଙ୍କ ଅସ୍ତ୍ର ରୂପରେ
କଳି କାଳେ ବିରାଜିତ ନୀଳାଚଳେ
ଭକ୍ତ-ସେବକ ରୂପରେ ।
ଝଡ ବାତ୍ୟା ବେଳେ ନୀଳଚକ୍ର ଖସି
ଭୂମିରେ ହେଲା ପତିତ
ନଷ୍ଟ- ବିନଷ୍ଟ ପରେ ନୂଆ ରୂପରେ
ହୋଇଅଛି ପ୍ରତିଷ୍ଠିତ
ଅଷ୍ଠ ଧାତୁ ରେ ନିର୍ମିତ ସୁଦର୍ଶନ
ପରିବର୍ତ୍ତିତ ରଙ୍ଗରେ
ସୂର୍ଯ୍ୟୋଦୟ ବେଳେ ଶ୍ଵେତ, କ୍ରମେ ନୀଳ
ଗାଢ଼ ନୀଳ ସୂର୍ଯ୍ୟାସ୍ତ ରେ
ନୀଳଚକ୍ର ରେ ନୀଳ ଶବ୍ଦ ଯେପରି
ଜଗନ୍ନାଥ ଧାମେ ନୀଳ
ନୀଳାଚଳ,ନୀଳଗିରି,ନୀଳଶୈଳ
ନୀଳମାଧବ ହିଁ ନୀଳ
ନୀଳ ସୁନ୍ଦର, ନୀଳ କନ୍ଦର ସହ
ମହୋଦଧି ନୀଳ ସିନ୍ଧୁ
ନୀଳଚକ୍ର ଅନନ୍ତତ୍ଵ ର ପ୍ରତୀକ
ନୀଳଚକ୍ର ଭକ୍ତବନ୍ଧୁ
ବଜ୍ର ନିବାରକ ଏହି ନୀଳଚକ୍ର
ବଜ୍ରାଘାତ ରୁ ସୁରକ୍ଷା
ବଜ୍ରାଘାତ ବିପଦରୁ ଶ୍ରୀମନ୍ଦିର
ନୀଳଚକ୍ର କରେ ରକ୍ଷା ।
ନୀଳଚକ୍ରରେ ଉଡ୍ଡୀୟମାନ ଧ୍ଵଜା
ପତିତପାବନ ନାମରେ
ଗୋଟିଏ ଦିନରୁ ଅଧିକ ରହିବା
ବାରଣ ନୀଳଚକ୍ରରେ
ଧ୍ଵଜା ଯଦି ନୀଳଚକ୍ରେ ରହେ ନାହିଁ
ନୁହଁଇ ଭୋଗ ଅର୍ପଣ
ନୀଳଚକ୍ର ପ୍ରତି ଅର୍ପଣ ମିଠେଇ
ବିକ୍ରୟ ହୁଏ ନିଦାନ
କୌଣସି କାରଣ ବଶତଃ ଜୀଉଙ୍କୁ
ଭୋଗ ନ ହେଲେ ଅର୍ପଣ
ଚକ୍ର ମଣୋହି ନୀଳଚକ୍ର ପ୍ରତି
ଭୋଗ ହୁଅଇ ଅର୍ପଣ
ପ୍ରତି ଏକାଦଶୀ ତିଥି ଯେବେ ହୁଏ
ନୀଳଚକ୍ରେ ମହାଦୀପ
ମହାଦୀପ ସହ ବିଶ୍ୱର ମଙ୍ଗଳ
ହୁଏ ପ୍ରାର୍ଥନା ସ୍ବରୂପ
ପ୍ରତ୍ୟହ ଓଲାଗି ହୋଇଥାଏ ଧ୍ଵଜା
ନୂତନ ଧ୍ଵଜା ସନ୍ଧ୍ୟାରେ
ନୀଳଚକ୍ର ଦର୍ଶନରେ ପାପ କ୍ଷୟ
ହେଉ ଭକ୍ତି ସହକାର ।
