STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

ନୀଳାମ୍ବୁ ଚିଲିକା

ନୀଳାମ୍ବୁ ଚିଲିକା

1 min
229

ନୀଳାମ୍ବୁ ଚିଲିକା(ରାଗ ଚୋଖି )


ପବିତ୍ର ଭୂମି ଉତ୍କଳେ, ପୁଣ୍ୟ ମହୋଦଧି କୂଳେ

ମେଲିଛି ଚିଲିକା ତାର, ରୂପ ପସରା

ଅପରୂପ ସୌନ୍ଦର୍ଯ୍ୟର, ଅଟଇ ତା ଗନ୍ତାଘର

ଅନନ୍ୟ ଓ ଅନୁପମ ଶୋଭାରେ ଭରା।

ଉଲ୍ଲସିତ ଚିଲିକାରାଣୀ

ଗଢ଼ିଛି ବିଚିତ୍ର ରୂପ କେଉଁ ବିନ୍ଧାଣି।୧।

ଶୀତଳ ସମୀର ଗୀତ ତରଙ୍ଗେ କରନ୍ତି ନୃତ୍ୟ

ପକ୍ଷୀ ଦଳ ଦୋଳାୟିତ,ତରଙ୍ଗ ମାଳେ,

ମୃଦୁ କଅଁଳ କିରଣ, ବୁଣିଛି ବାଳଅରୁଣ,

ଶୁଭଇ କାକଳିସ୍ୱନ, ଚିଲିକା କୋଳେ।

କୋମଳ ଅରୁଣ କିରଣେ,

ଝଳସଇ ବୀଚିମାଳା ଜ୍ୟୋତି ଯେସନେ।୨।

ଚାରୁ ଚିତ୍ରପଟ ସମ ଶୋଭାରାଜି ଅନୁପମ

ମନେ ଉପୁଜାଏ ଭ୍ରମ ନୀଳାମ୍ବୁ ରାଶି,

ଉପରେ ନୀଳ ଅମ୍ବର ଅନୁରୂପ ଶୋଭାଯାର

ସୁନେଲି ସୂର୍ଯ୍ୟକିରଣେ ଶୋଭା ପ୍ରକାଶି।

ଦୂର ଦିଗବଳୟେ ମିଳନ,

ନୀଳାମ୍ବୁ, ନୀଳଅମ୍ବର କି ଆଲିଙ୍ଗନ।୩।

ହଂସ ହଂସରାଳି ଖେଳ ଦିଶେ ଯୁଗଳ ଯୁଗଳ

ବିବିଧ ବିହଗ ମେଳ, ଗଗନ ଦେଶେ 

ଏରାପକ୍ଷୀ ଦଳ ଦଳ ପକ୍ଷ ଲୋହିତ ଧବଳ

ନଳରେ ଚଳ ପ୍ରଚଳ ଶୋଭା ପ୍ରକାଶେ।

ଦେଶୀ ବିଦେଶୀ ପକ୍ଷୀ ଦଳ

"ପକ୍ଷୀଙ୍କ ସରଗ" ଦିଶେ କେଡେ ମଞ୍ଜୁଳ।୪। 

ସକଳ ସୌନ୍ଦର୍ଯ୍ୟ ଆଣି, ଗଢିଛି କେଉଁ ବିନ୍ଧାଣି

ସତେକି ପକୃତିରାଣୀ କରିଛି ଠୁଳ

ରାଶି ରାଶି ସୁଷମାର, ଅଟଇ ତା' ଗନ୍ତାଘର

ବିଚିତ୍ର ରୂପ ତାହାର ,କି ମନୋହର।

ଚିଲିକାର ରୂପମାଧୁରୀ

କବି କଳାକାର କଳି, ନପାରେ ତାରି।୫।

ମାଁ କାଳିଜାଇ ମନ୍ଦିର ବିରାଜେ ବକ୍ଷରେ ତା'ର

ପରିବେଶ ପରିଷ୍କାର ରୂପ ସୁନ୍ଦର,

ରହସ୍ୟ ପଥର ପର ଶୁଭେ କରୁଣ ଚିତ୍କାର 

ସେହିତ ଜାଇର ସ୍ୱର, ଲୋକ ମତର

ନିତି ନିତି ନିକାଞ୍ଚନରେ 

କାନ୍ଦଇ ଜାଇ ସେଦିନୁ ପଥର ପରେ।୬।  

ଦେଶର ଗର୍ବଗୌରବ ଚିଲିକା ନୌସେନାକେନ୍ଦ୍ର

ଧରିଛୁ ବକ୍ଷରେ ଗର୍ବେ ସସମ୍ମାନର 

ଆମରି ବୀର ଜୱାନ ପାଆନ୍ତି ତହିଁ ତାଲିମ

ଦେଶପାଇଁ ଦେବେ ପ୍ରାଣ ଭାବି ମନର।

ବଡ଼ାଇ ପର୍ଯ୍ୟଟନ ମାନ

ପୁଣି ଦେଶହିତେ ପାଇ ନାନା ସମ୍ମାନ।୭।


Rate this content
Log in

Similar oriya poem from Abstract