STORYMIRROR

Anirudha Kund

Classics

3  

Anirudha Kund

Classics

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
156

ମାନମୟୀ ମୋର ମାନିନୀଗୋ ତୁମେ

   ସିଂହଦ୍ୱାର ଟିକେ ଖୋଲ

 ଛାଡ ରାଗଋଷା ଛାଡ ଅଭିମାନ

    ସବୁକିଛି ମନୁ ଭୂଲ


ବଡ ଭାଇ ଥିଲେ ସାଥିରେ ମୋହର 

    ସେ ତ ତୁମ ଦେଢଶୁର

ଦେଢଶୁର ସାଥେ ଯାଇଥାଅାନ୍ତ କି

    ମାଉସୀ ମାଆର ଘର


ହେରା ପଞ୍ଚମୀରେ ଫେରା କରିଗଲ

   ଭାଙ୍ଗି ମୋର ନନ୍ଦିଘୋଷ 

ବୁଝିଲନି ମୋତେ ମୁହିଁ ଯେ ତୁମର

   କାହିଁ ଗଲା ସେ ବିଶ୍ବାସ


ଦାଣ୍ତରେ ପଡିଣ ହାଟରେ ଗଡିଲା

   ତୁମର ସେ ରାଗଋଷା

କୁହନ୍ତି ସମସ୍ତେ ମାଇପ ଡରୁଆ

  ହେବି କେତେ ଲୋକହସା


 ବାଟେ ବସି ମୁହିଁ ରହିବି ଯେ କେତେ

    କି କହିବେ ଲୋକେ କୁହ,

ମୋର ଅପମାନ କଣ କମଳା ଗୋ

    ତୁମ ଅପମାନ ନୁହଁ।


ସେଦିନୁ ରାଗିଛ   ରାଗିକି ବସିଛ

    ଯାଇନ ଏ ଯାଏଁ ଭୂଲି

ଯୁଆଡେ ଗଲେ ବି ମୁହିଁ ତ ତୁମର

    ତୁମକୁ ଭାବୁଛି ଖାଲି


ତୁମ ହାତ ରନ୍ଧା ସ୍ବାଦିଷ୍ଠ ତିଅଣ 

   ଝୁରୁଛି ଯେ ମୋର ମନ

ବାଡିଆ ଡାଲମା ମହୁର ବେଶର

   ପାଇଁକି ମନ ଉଚ୍ଛନ


ଘରର ଗୁମର ବାହାରେ ପକାନି

     କହିବି ବୁଝାଇ ଘରେ

 ବସି ବସି ଏଠି ରସଗୋଲା ବାସି

    ହୋଇଲେ ମଜାଟି ସରେ


 ଆଣିଛି ତଟକା ରସଗୋଲା ମାନ

    ଝରେ ସର ସର ରସ

 ହୃଦୟୁ କରୁଛି   ନିବେଦନ ମୁହିଁ

   ଛାଡ ତୁମେ ରାଗରୋଷ

  

ପାରିଲେନି ସହି ଲକ୍ଷ୍ମୀ ଠାକୁରାଣୀ

    ନିବେଦନ ପ୍ରିୟଙ୍କର

ଦ୍ବାରଖୋଲି ଦେଇ ଡାକିଲେ ଆକୁଳେ      

    ନୀଳାଦ୍ରି ବିଜେ କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics