ନୀଳାଚଳେ ଶ୍ରୀଜଗନ୍ନାଥ
ନୀଳାଚଳେ ଶ୍ରୀଜଗନ୍ନାଥ
କୋଟି ଭକତର ଗୋଟିଏ ଦିଅଁ ତୁ
ନୀଳ କନ୍ଦରରେ ନିବାସ ତୋର
ଘରଣୀ ତୋହର ଲକ୍ଷ୍ମୀ ଠାକୁରାଣୀ
ଦୀନ ଦୁଃଖୀ ଜନେ କରେ ଆଦର I
ରତ୍ନ ସିଂହାସନେ ବସି ଖୁସି ମନେ
ସଭିଙ୍କ ବିଚାର କରୁଛୁ ତୁହି
ହେ କରୁଣାକର ତୋ ଦରବାରରେ
ବଡ ସାନ କିଛି ବିଭେଦ ନାହିଁ I
ଆନନ୍ଦବଜାରେ ବ୍ରାହ୍ମଣ ଚାଣ୍ଡାଳ
ଅବଢା ଖାଆନ୍ତି ଏକାଠି ବସି
ଟଙ୍କ ତୋରାଣିରୁ ଢୋକେ ପିଇଦେଲେ
ଭରିଯାଏ ମନେ ଅପୂର୍ବ ଖୁସି I
ବଡଦାଣ୍ଡେ ତୋର ଗହଳି ଚହଳି
ଲାଗି ରହିଥାଏ ବରଷ ସାରା
ଭକତ ବତ୍ସଳ କାଳିଆ ଠାକୁର
ଭକତ ତୋହର ଜୀବନ ଧାରା I
ତୋ ଦର୍ଶନ କଲେ ମନ ତୋଷ ହୁଏ
ଚକା ଚକା ଆଖି ଅଧର ନାଲି
ମରଣ ବେଳାରେ ତୋର ନାମ ନେଲେ
ସରଗ ଦୁଆର ଦେଉ ତୁ ଖୋଲି I
ଜଗତର ନାଥ କାଳିଆ ସାଆନ୍ତ
ତୋ ନାମେ ଚାଲୁଛି ନିଶ୍ୱାସ ମୋର
ଅନ୍ତିମ କ୍ଷଣରେ ଦରଶନ ଦେଇ
ଖୋଲିବୁ ମୋପାଇଁ ମୁକତି ଦ୍ୱାର I
