ନୀଳର ନୀଳିମା
ନୀଳର ନୀଳିମା
ଉପରେ ନୀଳ ଆକାଶ ତଳେ ବିଶ୍ବ ବିକାଶ
ସାଗରର ନୀଳିମାରେ ମୂର୍ତ୍ତିମନ୍ତ କଳ୍ପନା ଉତ୍ସ l
ପ୍ରଶାନ୍ତିର ଭାବଧାରା ନୀଳ ସ୍ୟାହିରେ ଲିପିବଦ୍ଧ
କବିତ୍ଵ ଓ ସାଧୁତ୍ୱ ପରିପ୍ରକାଶ ନୀଳ ରଙ୍ଗ ସିଦ୍ଧ l
ଆତ୍ମ ବିଶ୍ୱାସ ଶକ୍ତିମନ୍ତ ହୁଏ ଅଧ୍ୟାତ୍ମ ସହ ସତତ
ଯେତେବେଳେ ନୀଳ ରଙ୍ଗର ଉତ୍କର୍ଷତା ଜଡ଼ିତ l
ନୀଳ ବସନର ଚାହିଦା ଜାଣନ୍ତି ଶ୍ରମଜୀବୀ ଗଣ
ସ୍ୱଳ୍ପ ଉପାର୍ଜିତ ଧନେ ନିଜକୁ ବଞ୍ଚାନ୍ତି ସହି କଷଣ l
ମହୋଦଧି ବକ୍ଷରେ ଯେବେ ଆଗାଏ ଜୁଆର
ତୀର ଛୁଇଁବାକୁ କରଇ ନୀଳ ଚେହେରା ଉପଚାର l
ବଡ଼ ଠାକୁରଙ୍କ ମନ୍ଦିର ଚୂଡ଼ାରେ ଠିଆ ନୀଳ ଚକର
ମସ୍ତକ ତାଙ୍କ ଶୋଭେ ବଢ଼ାଇ ମର୍ଯ୍ୟାଦା ନୀଳ ମଣିର l
ନୀଳ ଗାଈର ଚରିତ୍ର ବଡ଼ ବିଚିତ୍ର ନୀଳ ଆଭାରେ
ହରିଣ ଗାଈ ମିଶା ଜାତି ସୁକୋମଳ ଚାହାଣିରେ
ଶୋଭିତ ଶାନ୍ତ ସରଳ ବନାନୀର ବାସ ଭୂମିରେ
ଭାରତ ବର୍ଷର ଗୌରବ ଗୋମାତା ଆର୍ଯ୍ୟ ଭୂମିରେ l
ବୈଦୁର୍ଯ୍ୟ ଓରଫ ନୀଳ ମଣିର ଗୁଣ ଜାଣି ଉପେନ୍ଦ୍ର
କବିସମ୍ରାଟ ଉପାଧିରେ ହୋଇ ଭୂଷିତ ଭଞ୍ଜ କବୀନ୍ଦ୍ର
ରଚି ଚାଲିଲେ ମନ ମତାଣିଆ କାଳ୍ପନିକ ପଙ୍କ୍ତି ପୁଞ୍ଜ
ଉତ୍କଳ ସାରସ୍ୱତ ସମାଜକୁ କଲେ ଆଲୋକିତ ସଗୁଞ୍ଜ l
ନୀଳ କଇଁ ତୋଷି ଚାଲେ ଶଶାଙ୍କ ଓ ଶଶାଙ୍କଶେଖରେ
ନୀଳ ପଦ୍ମ ଶୋଭା ପାଏ ଦିନମଣି ଓ ମାଶ୍ରୀୟାଙ୍କ ମନ୍ଦିରେ l
ସମ୍ଭ୍ରାନ୍ତ କଳ୍ପନା ବିଳାସୀ ରସିକ ନାଗରେ ଅବିରତ ଉଚ୍ଚାଟିତ
ନୀଳମଣି ପଦ୍ମନୀଳକଇଁର ପ୍ରଭାବେ ବିଶ୍ୱେ ପୂର୍ଣ୍ଣ ଆଶାତୀତ ll
