ନୀଳାଚଳବାସୀ ବଡ଼ ଠାକୁର
ନୀଳାଚଳବାସୀ ବଡ଼ ଠାକୁର


ନୀଳାଚଳବାସୀ ହେ ବଡ଼ ଠାକୁର
ଦୂରରୁ ମିନତୀ ଘେନ ।
ଅଟ ପରମଂବ୍ରହ୍ମ ତୁମେ ସନାତନ
ଗୁଣ୍ଡିଚା ରାଣୀ ନନ୍ଦନ ।।୧।।
ପ୍ରଭୁ ହୃଷିକେଶ ଆହେ ଚନ୍ଦ୍ରମୁଖ
ଇନ୍ଦ୍ରଦ୍ୟୁମ୍ନ ପିଣ୍ଡ ପ୍ରାଣ ।
ଭାଇ ଭଉଣୀ ଙ୍କୁ ଦେଉଳେ ରଖିଲ
ଅଧାଗଢା ନାରାୟଣ ।।୨।।
ଆଷାଢ ମାସର ଶୁକ୍ଲ ଦ୍ୱିତୀୟାରେ
ରଥଯାତ୍ରା ତୁମ ହୁଏ ।
ଚାରି ଆଡୁ ଭକ୍ତ ଆସନ୍ତି ପୁରୀ କୁ
ପୁରୀଧାମ ଶୋଭା ପାଏ ।।୩।।
ଭକତ ର ଭାବ ତୁମେ ମହାବାହୁ
ଶ୍ରୀକ୍ଷେତ୍ର ମଉଡମଣୀ ।
ଭକତ ବତ୍ସଳ ଆହେ ଜଗନ୍ନାଥ
ଲକ୍ଷ୍ମୀ ଠାକୁରାଣୀ ସ୍ୱାମୀ ।।୪।।
ଆଶୀଷ ଦିଅହେ ଦୁଃଖୀ ରଙ୍କି ଠାରେ
ଦୁର୍ଦ୍ଦଶା ଯାଉ ଉଭେଇ ।
ତୁମର ନାମକୁ ଭଜୁଥାନ୍ତୁ ଲୋକେ
ତିଳକ ଚନ୍ଦନ ପାଇ ।।୫।।
ଓଡ଼ିଆ ର ଖାଦ୍ୟ ତୁମ କୁ ରୁଚଇ
ଖାଅ ଛପନପୋଟି ଭୋଗ ।
ଓଡ଼ିଆ ଚଳଣି ଓଡ଼ିଆ ର ଠାଣି
ଶ୍ରୀମନ୍ଦିରରେ ହୁଏ ଯୋଗ ।।୬।।
ଭକତ ବିଦୁର ଶାଗ ଭଜାଦେଇ
ତୋଷିଥିଲା ତୁମ ମନ ।
ବନ୍ଧୁମହାନ୍ତିଙ୍କ ଭକତି ପ୍ରେମରେ
ଥାଲି କରିଥିଲ ଦାନ ।।୭।।
ମୁଁ ଅଟେ ଅଧମ ଅରକ୍ଷିତ ଜନ
ମୋ ଠାରେ ସୁଦୟା ବହ ।
ସବୁ ଦୋଷାଦୋଷ କ୍ଷମାକର ମୋର
ତୁମ ଚରଣରେ ଦଣ୍ଡବତ ।।୮।।