ନୀଳ ଗଗନ ନୀଳିମାରେ
ନୀଳ ଗଗନ ନୀଳିମାରେ


ନିରେଖି ଗଗନେ
ଭାବୁଅଛି ମନେ
କାହିଁ କେତେସବୁ କଥା
ସଂଜ ବେଳର ସ୍ତିମିତ ପ୍ରଦୀପ ସମ
ନୀଳ ଗଗନର ନୀଳିମାରେ
କେତେ ଆସେ
କେତେଯାଏ
କେତେ କ'ଣ ସବୁ ମନର ଅକୁହା ବ୍ୟଥା ।।
ନୀଳଗଗନର
ନୀଳିମାକୁ ଭେଦି
ଧଳା ମେଘମାଳା ସମ
ହଜିଯାଏ କେତେ
ଆସିଯାଏ କେତେ
ଚଉରା ମୂଳର ସ୍ତିମିତ ପ୍ରଦୀପ ସମ ।।
ହଜିଯାଏ ମୁହିଁ
ଭାବନା ରାଇଜେ
ନୀଳ ଗଗନର ନୀଳିମାରେ
ପାଇଛି କେତେ ମୁଁ
ହରାଇଛି କେତେ
ଅଛି କେତେ ପାଶେ ଏହି ମୁହୂର୍ତ୍ତରେ ।।
ଧାଇଁଛି କେତେ ମୁଁ
ଆନନ୍ଦ ସନ୍ଧାନେ
ମନେ ବହି ଆଶା ଅସୁମାରୀ
ଗଢିଛି କେତେ ମୁଁ
ସ୍ବପ୍ନର ତାଜ ମହଲ
,କେତେ ମମତାଜ୍ ନୀଳ ଆକାଶର ପରୀ ।।
ଭାବୁଛି କାହାକୁ
ସାଇତି ରଖିବି
ମନ ସିନ୍ଦୁକରେ ରୂପାଫରୁଆର ଭିତରେ
ମୁଦ୍ରାର ସମ
ପାଶେ ଥିଲେ ଯିଏ
ସାରା ଦୁନିଆକୁ ଇଛାମତେ କିଣିପାରେ ।।
ଖୋଜୁଅଛି ସେହି ଜନେ
ଅତି ବିଶ୍ବସ୍ତ ଯେ
ଅତି ଆପଣାର ଅତ୍ୟନ୍ତ ଘନିଷ୍ଠ ଜଣେ
ନିତି ଦିବସର ଶେଷେ
ଯାହା କୋଳେ ଲୋଟି
କହିପାରୁଥିବି ମନକଥା ନିଜ ପଣେ ।।
ପିଠିକୁ ଥାପୁଡି
ଅତି ସରାଗରେ
କହିଦେଉଥିବ
ଡର ନାହିଁ ଜମା ମୁଁ ଅଛିତମ ସାଥିରେ
ଧୈର୍ଯ୍ୟ ସହକାରେ
ମୋ କଥା ଶୁଣିବ
ପଡିଗଲେ ଝୁଣ୍ଟି ଉଠାଇବ ଧରି ହାତରେ ।।
ଯିଏ ଥିଲେ ମୋର ପାଶେ
ଏକାକୀତ୍ବ କେବେ
ଛୂଇଁପାରିବନି
କେବେହେଲେ ମୋର ଜୀବନ ଚଲାପଥରେ
କହିଦେଲେ ଯା ଆଗରେ
ମନତଳର ଅକୁହା ବେଦନା
ହଜିଯିବ ନୀଳ ଗଗନର ନୀଳିମାରେ ।।