ନଈକୂଳରେ ଡ଼ଙ୍ଗା
ନଈକୂଳରେ ଡ଼ଙ୍ଗା
ମହାଚେତନା ଆଡକୁ ଅବିରତ
ଧାଉଁଥାଏ ଧାରଟିଏ ସାତ ବାଙ୍କ
ବୁଲି ସର୍ପିଳ ଗତିରେ ମୁହାଣରେ
ସମ୍ପୂର୍ଣ୍ଣ ସତ୍ତା ହଜିଯିବା ପର୍ଯନ୍ତ ।
ବାଟରେ କେଉଁଠି ଅଟେକିନି
ଦୁନିର୍ବାର, ଅପ୍ରତିହତ ସେ ଯାତ୍ରା
ଆତ୍ମକାହାଣୀ ଏକ ନଈର !!
ମୁହାଣ ଛୁଇଁ ଦେଖେ ଅନନ୍ତଲୀଳାର
ସୌନ୍ଦର୍ଯ୍ୟ, ଜୁଅ।ର ଭଟ୍ଟା ଖେଳ
ନିମ୍ନଗାମୀ ସ୍ରୋତ ଜୁଆର ଧକ୍କାରେ
ଫୁଲି ଉଠି କିଛିଦୂର ପଛକୁ ଫେରେ
ଭଟା ପଡିଲେ ପୁଣି ଯାତ୍ରା କରେ,
ବାନ୍ଧି ହୁଏ ପ୍ରକୃତିର ନିୟମରେ।
ନଈକୂଳ ଆମକୁ ଦିଏ ଜୀବନ,
ଶାନ୍ତ ଶୀତଳତା ଭିଜା ପବନ,
ଶିଖାଏ ନୂତନ ସଭ୍ୟତାର ମନ୍ତ୍ର,
କେବେ ଉଗ୍ରରୂପ ଧରି ସୁଅରେ
ଭସାଇ ନିଏ ଗଛବୃଚ୍ଛ, ଘରଦ୍ୱାର,
ସାଜେ ସୃଜନ-ପ୍ରଳୟର ସ୍ୱାକ୍ଷର।
ପ୍ରତିଦାନରେ ପୁଣି ଫେରାଇ ଦିଏ
ଅତୁଳନୀୟ, ଅପାର ଐଶ୍ୱର୍ଯ୍ୟ ।
ନଈକୂଳର ଜୀବନ ହସେ, କାନ୍ଦେ
ଧାନମୀନରେ ପେଟ ଭରୁଥାଏ ,
ଉଜାଣି, ଗଡାଣି ସୁଅକୁ ଚାହିଁ ଦିନ
ପରେ ଦିନ କାଟୁଥାଏ । ଜୀବନ
ଓ ସଂସ୍କୃତିର ନୂଆ ଗାଥା ଶୁଣାଏ ।
ଏମିତି ନଈକୂଳ ଅଛି ସବୁଦିନ ଆଖିରୁ
ଅସରା ଲୁହ ଝରାଉଥାଏ, ଅ।ଖପାଖ
ଗାଁ ମାଟିର ବିକଳାଙ୍ଗ ମଣିଷଙ୍କୁ
ଦେଖି ନିଜକୁ ଅଭିଶପ୍ତ ଭାବୁଥାଏ,
ଭାବିଲେ ବିଶ୍ୱାସ କରି ହେବନି।
ବଙ୍ଗୋପସାଗରଠାରୁ ଚବିଶ କି.ମି.
ଦୂର ସାଳନ୍ଦୀ ନଦୀ କୂଳରେ ରହିଛି
ବୋଡକ ଗାଆଁ ଯେଉଁଠି ଦେଖିବାକୁ
ମିଳେ ଘାଟରେ ବନ୍ଧା ହୋଇଥିବ
ଏକ 'ଦେଡଶୁର' ଡଙ୍ଗା ସବୁଦିନ ।
ଯାହା ପାଖ ମାଡେନି କାନ୍ଦୁରାମୁହିଁ
ଶିକାରୀ 'ଭାଇବୋହୂ' କୁମ୍ଭୀର ।
ରାତି ପାହିଲେ ଧୀବରମାନେ ବାହାରି
ଯାଆନ୍ତି ନଈକୁ ଡଙ୍ଗା ଓ ଜାଲ ନେଇ
ମାଛ ଧରି ଫେରନ୍ତି। ନଈରେ ବୁଲୁଥାନ୍ତି
କୁମ୍ଭୀର, ଘାଟ ପାଖକୁ ଆସନ୍ତିନି।
ଡଙ୍ଗା ବନ୍ଧାଯିବା ଆଗରୁ କୁମ୍ଭୀର
ଟାଣି ନେଇଥିଲା ଘାଟରୁ ଦୁଇଜଣ
ଲୋକଙ୍କୁ ଗହୀର ନଈ ମଝିକୁ,
ଦଶରୁ ଅଧିକ ଅଳ୍ପକେ ବର୍ତ୍ତିଯାଇ
ଗୋଡ଼ ହାତ ହରାଇ ଜୀଉଁଛନ୍ତି।
ବୋଡକ ଗାଆଁ ନଈ ଏପାଖେ ରହିଛି
ପ୍ରସିଦ୍ଧ ଆଖଣ୍ଡଳମଣି ପୀଠ ଆରଡି
ନଈଘାଟ ଶୁଣାଉଛି ଲୋକ ସଂସ୍କୃତି
ଓ ବିଶ୍ୱାସର ନିଆରା କାହାଣୀ।
ଭାଇବୋହୂ କୁମ୍ଭୀର ଛୁଏଁନି ଡଙ୍ଗା
ଦେଡଶୁରଙ୍କୁ। ଲାଜେଇ ଚାଲିଯାଏ
ଦୂରକୁ ବାଟ ଭାଙ୍ଗି ।
*******
