ନଈବଢି
ନଈବଢି
ଉଛୁଳି ଉଠିଛି ଆଜି ବେଗମତୀ
ନଈର ଦରଦୀ ସ୍ନେହବୋଳା ଛାତି
ସୁ ସୁ ଗର୍ଜି ଫେନିଳ ପଟୁଆରରେ
ଛୁଟି ଚାଲିଛି ବନ୍ଧବାଡ କୋଠା ବାଡ଼ି
ଖାଲ ଖମା ଜମିକୁ ଖାତିର ନକରି
କୋଳେଇ ନେବାକୁ ସାରା ସଂସାରକୁ
ଏକାକାର କରି ନେବାକୁ ସଭିଙ୍କୁ
ତାର ଅଗାଧ ଜଳ ରାଶିରେ ଅବାଧରେ!!
ନାହିଁ ତାର କିଛି ବାଛ ବିଚାର
ଧର୍ମ-କର୍ମ-ଲକ୍ଷ୍ୟ ତାର ବହି ଯିବାର
ଜଳ ବହୁଳେ ବିହୁନେ ସର୍ବନାଶ
କେବେ ସମ୍ବଳ ପୁଣି କେବେ କାଳ
ମତିଗତି ତାର ସଭିଙ୍କୁ ଆଗୋଚର
କ୍ଷୟକ୍ଷତି କଳିବା ଅଟଇ ଦୁଷ୍କର
କାହାର ଇଏ କରୁଛି ସର୍ବନାଶ
ତ ଆଉ କାହା ପାଇଁ ପୁଷମାସ!!
ତଳମୁଣ୍ଡର ଅରକ୍ଷିତ ବିପନ୍ନ ମଣିଷ
ହାରିଛି ଚାଷବାସ ଆବାସ ସର୍ବସ୍ବ
ଲିଭି ଯାଇଛି ଓଠରୁ ତାର ହସ
ଅଖିଆ ଅପିଆ ଅବିଶ୍ରାନ୍ତ ଦେହଟା
ବଞ୍ଚି ରହିବାର ଦୁର୍ବାର ଲାଳସାରେ
ଯାହା ଭାସିଚାଲିଛି ସୁଅର ମୁହଁରେ
ଯତ୍ କିଞ୍ଚିତ ସମ୍ବଳ ଜାବୁଡ଼ି ହାତରେ
ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ!!
ଉପରମୁଣ୍ଡରେ ବିଳାସୀ ମଣିଷ
ମେଳା ଦେଖୁଛି ଆସି ବନ୍ଧରେ
ମୁଖରୁଚି ଦରବର ସୁଆଦ ଚାଖି ଚାଖି
ଅତି ଆନନ୍ଦିତ ହୋଇ ସପରିବାରେ
ନଈ ସୁଅରେ ଜଳ ଭଉଁରୀର ଦୃଶ୍ୟ
ରମଣୀୟ ମନୋହର ମନମୁଗ୍ଧକର
ରଚନା ଲେଖଇ ଅବୋଧ ସହରୀ ଛାତ୍ରଟି
ଦେଖିଥିବା ନଈବଢିର ବିସ୍ତୃତ ବର୍ଣ୍ଣନାରେ!!

