ନଈ
ନଈ


ପର୍ବତ ନନ୍ଦିନୀ ସାଜି ସ୍ରୋତସ୍ୱିନୀ
ବିତରି ଦେଇ ପିୟୂଷ
ପଲ୍ଲବିତ କରି ଏ ମହୀ ମଣ୍ଡଳ
ଭରିଦିଅ ଓଠେ ହସ।
ଭାରି ମନୋହର ଦିଶଇ ତୁମର
ସେ ସ୍ନିଗ୍ଧ ଶୀତଳ ଜଳ
ପାନ କରି ଯା'କୁ ପରିତୃପ୍ତ ଲଭେ
ଜୀବ ଜଗତ ସକଳ।
ଦୁର୍ଭେଦ୍ୟ ବନ୍ଧୁର ଗିରିପଥ ଭେଦି
କୁଳୁକୁଳୁ ନାଦ କରି
ଅବିରତ ବହୁଥାଅ ଲକ୍ଷ୍ୟ ପଥେ
ବାଧା ବିପତ୍ତି ନ ଡରି।
ବାଟେ ଭେଟି କେତେ ତରୁ ପାଦପଙ୍କୁ
ଶୁଣାଇ ମଧୁର ଗୀତ
ସପ୍ତରାଗ ସଙ୍ଗୀତର ମୂର୍ଚ୍ଛନାରେ
ପ୍ରାଣ କର ପୁଲକିତ।
ତୁମରି ଜଳର ଆଲିଙ୍ଗନ ସ୍ପର୍ଶେ
ଭରିଯାଏ ମାଦକତା
ଆତ୍ମତୃପ୍ତ ଲଭି ସରବେ ହୁଅନ୍ତି
ଆନନ୍ଦରେ ବିମୋହିତା।
ଧରା ପରେ ଯେବେ ବହୁଥାଅ ତୁମେ
ଦୁଇ କୂଳ ଛୁଇଁ ଦେଇ
ତରଙ୍ଗାୟିତ ସେ ନୀଳ ଜଳରାଶି
ସବୁ କଷ୍ଟ ଦିଏ ଧୋଇ।
ପ୍ରାଚୀ ଦିଗନ୍ତରେ ଉଦିତ ତପନ
ଅରୁଣିମା ଦେଲେ ଭରି
ବଢିଯାଏ ତୁମ ସୌନ୍ଦର୍ଯ୍ୟ ସୁଷମା
ନୋହିବେ କେହି ତା' ସରି।
ସୁନୀଳ ଜଳଧାରେ ନାଲି ଅମ୍ବୁଜ
ଶୋଭା ଯେ ବଢାଇ ଦିଏ
ଶୀତଳ ସମୀର ପ୍ରବାହନ କାଳେ
ଆନନ୍ଦରେ ନାଚୁଥାଏ।
ତୁମ କୋଳେ ଯେବେ ବିହଙ୍ଗମ ଗଣ
କରିଣ ଥା'ନ୍ତି କାକଳି
ସୁମଧୁର ସେ ସ୍ୱର ଲାଗଇ ସତେ
କାହ୍ନାର ବାଂଶୁରୀ ଭଳି।
ଅସ୍ତାଚଳଗାମୀ ରବିଙ୍କର ପ୍ରଭା
ଅବା ଶଶାଙ୍କ ଜୋଛନା
ଝଲସାଇ ତୁମ ରୂପର ବିଭବ
କରିଦିଏ ଆନମନା।
କବିର କଳ୍ପନାରେ ଲାବଣ୍ୟବତୀ
ଅଳସୀ ରୂପସୀ କନ୍ୟା
ଜଳ ସ୍ରୋତେ ତୁମ ଉଦ୍ଭାସିତ ହୁଏ
ନବ ଯୌବନର ବନ୍ୟା।
ଶସ୍ୟ କ୍ଷେତ୍ରେ ଭରି ଶ୍ୟାମଳିମା ବିଭା
ଅନ୍ନଦାତ୍ରୀ ସାଜିଥାଅ
କେବେ ପୁଣି ଧରି ପ୍ରଳୟ ସ୍ୱରୂପ
ନାଶ ସବୁ କରିଦିଅ।
ସାଗରେ ମିଶିବା ଅଭିଳାଷ ପୂର୍ଣ୍ଣ
କରିବା ଉଦ୍ଦେଶ୍ୟ ନେଇ
ଯୋଜନ ଯୋଜନ ପଥ ଅତିକ୍ରମ
କରି ଆସିଥାଅ ଧାଇଁ।
ଲକ୍ଷ୍ୟ ସିଦ୍ଧି ନିମନ୍ତେ ଅଟଳ ରହି
ସାଧନାରେ ହେଲେ ବ୍ରତୀ
ଚିର ଅଭୀସ୍ପିତ ଫଳ ପ୍ରାପ୍ତି ହୋଇ
ମିଳି ଯାଇଥାଏ ଗତି।
ସଭିଙ୍କୁ ଶୁଣାଇ ଏହି ବାରତାକୁ
ସାଜିଲ ତୁମେ ମହାନ
ତୁମ ତ୍ୟାଗ ସଦା ଧରଣୀ ବୁକୁରେ
ଅଟଇ ଯେ ମୂଲ୍ୟବାନ।