ନଈ
ନଈ
॥୧॥
ଅନବରତ ଝରୁ
ପାଷାଣର ଛାତିରୁ
ଅଖିଳ ଜୀବନର ବାହକ ।
ଜଗତର ହିତରେ
ଥାଉ ତୁ ନିରନ୍ତରେ
ଅମୃତସମ ପୟଦାୟକ ॥
॥ ୨॥
ନାମ ତୋହର ନଈ
ମଧୁର ଗୀତ ଗାଇ
ଗିରି କୋଳରୁ ହେଉ ଜନମ ।
ଦେଇ ଶୀତଳଜଳ
ପାଳୁ ଜୀବ ସକଳ
ପୂଣ୍ୟ ସଲିଳା ସାଧି ଧରମ ॥
॥ ୩॥
ଦୁଇ ତଟ ଦେଶରେ
ଅପୂର୍ବ ଶୋଭା ଧରେ
ଦର୍ଶନେ ଶାନ୍ତ ହୁଏ ନୟନ ।
ଦୁଃଖ ସୁଖକୁ ଧରି
ନିମ୍ନଗା ସୁକୁମାରୀ
ଆପଣା ଧର୍ମ କରେ ପାଳନ ॥
॥ ୪॥
ବାଧାବନ୍ଧନ ଛେଦି
ବନ୍ଧୁର ପଥ ଭେଦୀ
ମିଳିତ ହୋଇ ସଖୀ ସହିତ ।
କଳେବର ବଢାଇ
ଦୁଇ କୂଳକୁ ଧୋଇ
ଗାଉଛି କଳକଳ ସଂଗୀତ ॥
॥ ୫॥
ପଶୁପକ୍ଷୀ ସ୍ଥାବର
ତରୁ ତୃଣ ଆବର
କୃତଜ୍ଞ ଭାବବହି ହୃଦରେ ।
କରନ୍ତି ଉଚ୍ଚାରଣ
ସଶ୍ରଦ୍ଧ ଜୟଗାନ
ନାନାପ୍ରକାର ଶୁଭଶଦ୍ଦରେ ॥
॥୬॥
ଧୂସର ଏ ମାଟିର
ସେ ପରା ଯାଦୁଗର
ସବୁଜିମା ଖେଳାଏ ମରତେ ।
ପଲ୍ଲୀ ଗ୍ରାମ ନଗର
ଶସ୍ଯ କ୍ଷେତ୍ର ପ୍ରାନ୍ତର
ସେନେହେ ଛୁଇଁ ଧାଏଁ ନିରତେ ॥
॥୭॥
ଗଭୀର ତୁମ ଜଳେ
ମତ୍ସ୍ୟମଗର ଖେଳେ
ମହାଆନନ୍ଦେ କେଡେ ସୁଖରେ ।
ତୁମେ କଲ୍ୟାଣମୟୀ
ନିଖିଳ ପ୍ରାଣଦାୟୀ
ବଞ୍ଚାଇ ଅଛ ଜଳଚ଼ରରେ ॥
॥ ୮॥
ଶିଳ୍ପବାଣିଜ୍ୟ ପାଇଁ
ମୂଳ ଅଟଇ ନଈ
ପ୍ରଗତି ସଭ୍ୟତାର ଧାରକ ।
ବିଦ୍ୟୁତଶକ୍ତି ଦାନେ
କାରଖାନା ନିର୍ମାଣେ
ବିଜ୍ଞାନ ଜୟଯାତ୍ରା ବାହକ ॥
॥୯॥
ତଟଦେଶ ତୋହର
ସୁଷମାର ଆଗାର
ସୁରମ୍ୟ ଦେବାଳୟ ଶୋଭିତ ।
ପୁଣ୍ୟତୋୟା ଜନନୀ
ଶୁଦ୍ଧାମୟୀ ପାଵନୀ
ଗିରିବର ନନ୍ଦିନୀ ସରିତ ॥
॥୧୦॥
କେବେ ଗୋ ଭୟପ୍ରଦା
ଭୀତି ଆଣୁ ସର୍ବଦା
ଭୀମକାନ୍ତା ସ୍ଵରୂପା ବନ୍ୟାରେ ।
ଧନଜୀବନ ନାଶ
ମାନବେ ଦେଉ କ୍ଲେଶ
ନିମ୍ନଗା ନମେ ତୋର ପୟରେ ॥