ନଈ
ନଈ
ନିମ୍ନଗାମୀ ତୁହି ଚିରସ୍ରୋତା ନଈ
ଚାଲିଥାଉ ନିଜ ଲକ୍ଷେ,
ଅତି ଆଦରରେ ବାଧା ବିଘ୍ନ ଯେତେ
କୋଳେଇ ନେଉ ତୁ ସୁଖେ ।
ପାହାଡ଼ ବକ୍ଷରେ ବନ୍ଧୁର ପଥରେ
ପଡୁନା ତୁ କେବେ ଥକି,
ଚାଲୁ ନିରନ୍ତର ନହୋଇ ନିଥର
ହିସାବ ନକରି ବାକି ।
ମଧୁରତା ବାଣ୍ଟି ଚାଲିଥାଉ ପଥ
ତିଳେ ହେଲେ କୁଣ୍ଠା ନାହିଁ,
ସମଗ୍ର ଜଗତ ହୋଇଥାଏ ପ୍ରୀତ
ତୋର ମଧୁ ବାରି ପିଇ ।
ସମୁଦ୍ରର ବକ୍ଷ ଏକମାତ୍ର ଲକ୍ଷ
ଦ୍ବିତୀୟେ ତୋ ନାହିଁ ମନ,
ତା ଦେହରେ ହଜି ଆନନ୍ଦରେ ଭିଜି
ମନୋବାଞ୍ଛା କରୁ ପୂର୍ଣ୍ଣ ।