ନିଃସଙ୍ଗ କଳ୍ପନା
ନିଃସଙ୍ଗ କଳ୍ପନା
ଏବେ ମୁଁ ନିଃସଙ୍ଗ କଳ୍ପନାରେ
କୁମୁଦିନୀ ସାଜିଛି,
ଜହ୍ନ ରାଇଜକୁ ଯାଇ ଜହ୍ନକୁ ଖୋଜୁଛି
ମୋ ଜହ୍ନ କୋଉଠି ଅଛି
ଖୋଜି ମୁଁ ପାଉନି,
ଅମାବାସ୍ୟା ରାତି କିବା
ତାହାବି ଜାଣିନି.
ଏତିକି ଜାଣିଛି ଖାଲି..
ଅମାବାସ୍ୟା ପରେ ନିଶ୍ଚେ
ପୁହ୍ନେଇ ଆସିବ, ଗୋଟା ଜହ୍ନ ନହେଲେବି ଧାରେ ତ ଦିଶିବ.
ଧାରେ ଧାରେ ବଢ଼ି ବଢ଼ି
ଗୋଟା ଜହ୍ନ ହେବ, ସାରା ପୃଥିବୀ ସହିତ ଏ ପାର୍ଥିବ ଦେଖିବ.
ଜହ୍ନ କୁମୁଦିନୀର ସମ୍ପର୍କ
ସାର୍ଥକ ଲଭିବ.
* * * * *
ଜହ୍ନ କିନ୍ତୁ ଥାଏ ଦୂରେ,
ବହୁ ଦୂରେ, ରାତ୍ରିର ଆକାଶରେ,
କୁମୁଦିନୀ ବିଚାରିଟି ତାକୁ
ଝୁରି ମରେ,ସୁଦୁ ଖାଲି
ଜ୍ୟୋସ୍ନାର ପରଶ ଲେଖା
ତା ଭାଗ୍ୟରେ.
ତଥାପି କୁମୁଦିନୀର ବିରହୀ ପ୍ରାଣଟା
ବୁଝୁନାହିଁ କିଛି,
ଆଉଟି ପାଉଟି ହୋଉଛି
ତା ପ୍ରିୟତମକୁ ଦେଖି
ଶରତର କାଶତଣ୍ଡୀ ଫୁଲରେ,
ଗାଁ ବିଲ ପୋଖରୀ ଭିତରେ,
ଥିରି ଥିରି ଧୋବଲା ଢେଉରେ.
କେହି କେବେ ବୁଝୁନାହିଁ
କୁମୁଦିନୀର ଅନ୍ତରଦାହ,
ବେଦନାର ଫର୍ଦ,
ଆକାଶ କଇଁଆଁ ଆଉ
ଚିଲିକାର ମାଛ,ସମ୍ପର୍କଟା ମିଛ,
ତୁଚ୍ଛା କଳ୍ପନା, ସୃଷ୍ଟିର ବାହାନା..
* * * * * *
କବିଟିଏ ଯେଣୁ ମୁହିଁ,
ସୃଜନୀର ନୂଆ ସୂତ୍ରଧର,
ଶତ ଶତ କଳ୍ପନାର ଖିଅକୁ
ଏକତ୍ରିତ କରି, ଯୋଡି ଦେବି
ଜହ୍ନ ସହ କୁମୁଦିନୀକୁ
ଏକ ମଲାଟରେ,
ମୋ କଳ୍ପନାର କାନଭାସରେ.
ରଙ୍ଗଦେବୀ ମୋ ରଙ୍ଗ ତୁଳୀରେ
ବଦଳେଇ ଦେବି,ଵିଧି ଯା ଲେଖିଛି, ତା ସୃଷ୍ଟିର ଚିନ୍ତାଧାରାରେ.
* * * * *
ତେଣିକି
କୁମୁଦିନୀଖୋଲା ମନର
ଫ୍ରକଟିଏ ପିନ୍ଧି, ଫିକ ଫିକ ନାଚିବ,
ରାତ୍ରିର ପଣତରେ ମୁହଁକୁ ଲୁଚେଇ
ମନଖୋଲା ହସଟିଏ ହସିବ,.
ବାସ.....
ନିଃସଙ୍ଗ କଳ୍ପନାର କବି,
ଉଲ୍ଲୂସି ଉଠିବ, ଆନନ୍ଦ ଲଭିବା I
