ନିଃସଙ୍ଗ ଜୀବନ
ନିଃସଙ୍ଗ ଜୀବନ
ଏଇ ସମାଜରେ ନିଃସଙ୍ଗ ଜୀବନ
ବଡ କଷ୍ଟ ଲାଗିଥାଏ
ଯିଏ ରହିଥାଏ ସିଏ ଜାଣିଥାଏ
କେମିତି ବଞ୍ଚିଛି ସିଏ ?
କେତେ ଲୋକ କେତେ କଥା କହୁଥାନ୍ତି
ସହିବାକୁ ପଡ଼ିଥାଏ
ନିନ୍ଦା ଅପବାଦ ମୁଣ୍ଡେ ଲଦି ଦେଲେ
ନୀରବ ବି ରହେ ସିଏ ।
ନା କାହାକୁ କିଛି ଉତ୍ତରଟି ଦିଏ
ମଥାପାତି ରହିଥାଏ
ଯେତେ ଦୁଃଖ କଷ୍ଟ ଯନ୍ତ୍ରଣା ବି ଆସୁ
ଲୁହେ ହସୁଥାଏ ସିଏ ।
ଜାଣିଛି ନିଃସଙ୍ଗ ଜୀବନଟା ତାର
ଆଜି ଅଭିଶପ୍ତଟିଏ
କେଉଁ ଜନମର କେଉଁ ଦୋଷ ଲାଗି
ଭୋଗୁଅଛି ଆଜି ସିଏ ।
କପାଳର ଲେଖା ହେବନି ଅନ୍ୟଥା
ନା ଦୁଃଖ ସେ କରିଥାଏ
ଯାହା ତା' କପାଳେ ଲେଖା ହେଇଅଛି
କାଟି ବା ପାରିବ କିଏ ?
ନିଃସଙ୍ଗ ଜୀବନ ଯେମିତି ମଧୁର
ସେତିକି ବି କଷ୍ଟ ଥାଏ
ବାର୍ଦ୍ଧକ୍ୟ ଜୀବନେ ସେବା ପାଇଁ ପୁଣି
ଲୋଡ଼ା ଥାଏ ସାଥୀଟିଏ ।
ଯାହାର ଜୀବନେ ସାଙ୍ଗଟି ନଥାଏ
ନିଃସଙ୍ଗ ଜୀବନ ସିଏ
ଏମିତି ଜୀବନ କେତେ ଯେ ବିଧାତା
କପାଳରେ ଲେଖିଥାଏ ।
ଜୀବଜନ୍ତୁ ଦେଖ ପଶୁପକ୍ଷୀ ଆଦି
କୀଟ ଠାରୁ ବ୍ରହ୍ମ ଯାଏ
ନିଃସଙ୍ଗ ଜୀବନ ଯିଏ ବିତେଇଛି
କଷ୍ଟ ଟି ପାଇଛି ସିଏ ।
ମଣିଷ ଅଟଇ ସାମାଜିକ ପ୍ରାଣୀ
ସାଙ୍ଗ ତାର ରହିଥାଏ
ଯୁଆଡେ ଗଲେ ବି ସାଙ୍ଗ ସାଥୀ ନେଇ
ଖୁସିରେ ରହଇ ସିଏ ।
ଧନ ଯୌବନ କ୍ଷଣସ୍ଥାୟୀ ଅଟେ
ଚିର ରହେ ନାହିଁ ସିଏ
ଶେଷ ସମୟରେ ନିଃସଙ୍ଗ ଜୀବନ
ବଡ କଷ୍ଟ ଦେଇଥାଏ ।
ସେ କଷ୍ଟୁ ଲାଘବ ହେବା ପାଇଁ ତାର
ସାଥିଟିଏ ଲୋଡ଼ାଥାଏ
ଶେଷ ସମୟରେ ସେଇ ସାଥୀ ପୁଣି
ନା ସଙ୍ଗରେ ତା'ର ଯାଏ ।
ଆସିଛି ନିଃସଙ୍ଗ ଯିବ ବି ନିଃସଙ୍ଗ
ନିଃସଙ୍ଗ ଜୀବନ ଇଏ
ନିଃସଙ୍ଗରେ ରହି ନିଃସଙ୍ଗର ସ୍ମୃତି
ସିଏ ତ ସାଉଁଟିଥାଏ ।