ନିହାତି ଅପାରଗ ଟିଏ ମୁଁ
ନିହାତି ଅପାରଗ ଟିଏ ମୁଁ
🛑ନିହାତି ଅପାରଗ ଟିଏ ମୁଁ 🛑
ସତରେ!
ନିହାତି ଅପାରଗଟିଏ ମୁଁ !
ମୋ ଦେହର ଦିଗବଳୟ ଆଖେ ପାଖେ
ପଇଁତରା ମାରୁଥିବା ଛୋଟ ଛୋଟ ଖୁସି ଗୁଡିକୁ
ଆପଣାର କରି ଧରି ରଖିବାରେ
କେତେ ଅସମର୍ଥ ସତେ !
ତତଲା ନିଶ୍ୱାସରେ
ଡହକୁଥିବା ପାପୁଲିରୁ ମୋର
ଖୁସିର ବରଫ କଣିକା ସବୁ
କହୁଣୀ ଛୁଇଁ ତରଳିକି ବୋହିଯାଏ ;
ଟପ ଟପ ଝରି ଝରି, ହଜି ମିଳେଇଯାଏ
ମୋର ପାଦ ପାଖର କୁଢ଼ କୁଢ଼ ମାଟି ଭିତରେ।
ଚୁପ ଚାପ ଠିଆ ହୋଇ ମୁଁ
ଜୁଳୁ ଜୁଳୁ ଅନେଇକି ରହିଯାଏ ସିନା;
ହେଲେ !
ପାପୁଲି ଖାଲୁଆ କରି,
ସେହି ବୋହି ଯାଉଥିବା ଖୁସି ଗୁଡିକୁ
କିଂଚିତ୍ କ୍ଷଣ ଅଟକାଇ
କାଲୁଆ ପବନରେ
ପୁଣି ଜମାଟ ବନ୍ଧେଇବାର
କୌଶଳ ଟିକକ ଶିଖିପାରେନି ଜମା ।
କେମିତି କେଜାଣି ?
ପିତା ମାତାଙ୍କ ସଂସ୍କାରରୁ
ସାଉଁଟି ମୁଠେଇଥିବା ମଣିଷପଣିଆ ଟିକକ,
ହୋଇଯାନ୍ତି ମୋର ସବୁଠାରୁ ଆପଣାର;
ବାକି ସବୁ ସମ୍ପର୍କକୁ ପଛରେ ପକେଇ !
ମୋ ନିଜର ଅନ୍ୟମନସ୍କତାରେ;
ଯେ କୌଣସି ଗୋଷ୍ଠୀବାଦ
କିମ୍ବା ନୀଚ୍ଚ ମନସ୍ତତ୍ଵର
ଘୋର ବିରୋଧୀ ହୋଇ ଉଠେ ମୁଁ।
ଛୋଟ ଛୋଟ ଖୁସି ମାନଙ୍କୁ
ଆପଣେଇବାର ଦ୍ୱାହିରେ.
ପର କରିପାରେନି ଜମା
ମୋ ଛାତି ଭିତରର ସ୍ୱରକୁ ।
ଅଥଚ!
ଅଭିଯୋଗର କାଠଗଡାରେ ଠିଆ ହୋଇ
ମୁଁ ମୋ ନିଜକୁ ଜେରା କରୁଥିବା ବେଳେ,
ମୋ ହାତ ତିଆରି ସୁଢଳ
କଞ୍ଚା ମାଟିର ପାତ୍ର ସବୁ
ଆଉ କାହାର ହାତରେ ରଙ୍ଗେଇ ହୋଇ,
ମୁଲେଇ ହେଉଥାଏ ଖୁବ ଚଢା ଦରରେ ।
ଆଉ ମୁଁ !
ଅନେଇ ରହିଥାଏ ଉଲ୍ଲୁକ ପରି I
ପ୍ରକାଣ୍ଡ ନିରବ ଝଡଟିଏ
ମୋ ଛାତି ଭିତରର ପଞ୍ଜରା ସବୁ
ଦୋହଲେଇ ଦୋହଲେଇ ଚିତ୍କାର କରୁଥାଏ ;
"ତୁ ଅପାରଗ ଟିଏ,
ହଁ ...ହଁ ....
ତୁଉଉ..... ନିହାଆଆତି ଅପାରଗଟିଏ" I