ନିଦ୍ରା ତେଜି ଜାଗିଉଠ
ନିଦ୍ରା ତେଜି ଜାଗିଉଠ
ଅଙ୍ଗେ ଅଙ୍ଗେ ଯାର ସୁଷମା ଲହରୀ
ସୌନ୍ଦର୍ଯ୍ୟରେ ଵିମଣ୍ଡିତା
ଶସ୍ୟ ଶ୍ୟାମଳା ସେ ସୁଜଳା ସୁଫଳା
ସେହି ମୋ ଭାରତମାତା ।
ହିମାଚଳଠାରୁ କୁମାରୀକା ଯାଏଁ
ଲମ୍ବିଛି ପାବନ ଭୂମି
ଦୁଇ ପାର୍ଶ୍ଵେ ଦୁଇ ଜଳଧି ମଣ୍ଡନେ
ମାତା ଚରଣକୁ ଚୁମି ।
ଗଙ୍ଗା ଯମୁନା ଓ ବ୍ରହ୍ମପୁତ୍ର ସିନ୍ଧୁ
କୃଷ୍ଣା ଓ କାବେରୀ ନଦୀ
ନିତ୍ୟ ଗାଉଥାନ୍ତି ମଙ୍ଗଳ ଗୀତିକା
କଳ ତାନେ ନିରଵଧି ।
ମସ୍ତକେ ମୁକୁଟ ଶୋହେ ହିମାଳୟ
କାଶ୍ମୀର କୁଙ୍କୁମ ବିନ୍ଦୁ
ସୁକୋମଳ ଅଙ୍ଗେ ଶ୍ୟାମଳିମା ରଙ୍ଗେ
ଚାରୁଫୁଲ ପିନ୍ଧୁ ପିନ୍ଧୁ ।
ଶତ ଗିରି ଗୁହା କନ୍ଦରେ ଯାହାର
ନିତ୍ୟ ଐଶ୍ଵରିକ ଚିନ୍ତା
କୋଟିତୀର୍ଥ ପୂତ ଧୂଳିକଣାରେ ଯେ
ସ୍ଵର୍ଣ୍ଣ ପ୍ରସୂ ଯଶଗାଥା ।
ବିଭିନ୍ନତା ମଧ୍ୟେ ଐକୀୟ ସଂହତି
ବାଢେ ଜାତି ମହାନତା
ଧର୍ମ ନିରପେକ୍ଷ ସାର୍ବଭୌମତ୍ଵରେ
ଭୁଵନମୋହିନୀ ମାତା ।
ବୀର ପ୍ରସଵିନୀ ଭାରତ ଜନନୀ
ବିପ୍ଳବର ମାଟି ଏ ଯେ
ମାରିଦେଲେ ତାଳି ହୋଇଯାଏ ମେଳି
ରକ୍ତରଞ୍ଜିତର ତେଜେ ।
ଗାନ୍ଧୀ ଗୋପବନ୍ଧୁ ଚକରା ବିଶୋଇ
ବିର୍ସାମୁଣ୍ଡା ଓ ନେତାଜୀ
ଶତ ଶତ ଶୂର ଶୋଣିତର ଧାର
ସ୍ଵାଧୀନତା ସ୍ବାଦ ଆଜି ।
ଵାର ଵରଷର ଵାଜିରାଉତ ଯେ
ଛାତିକୁ ପତେଇଥିଲା
ଧନ୍ୟ ଦେଶଭକ୍ତ ଗୁଳିରେ ନିହତ
ଶହୀଦ୍ ସେ ହୋଇଗଲା ।
ମେଳିର ସର୍ଦ୍ଦାର ଜୟୀ ରାଜଗୁରୁ
ଦୁଇଫାଳ ଚିରାହେଲେ
ବୃକ୍ଷେ ବାନ୍ଧିଦେଇ ଗୋରା ସରକାର
ଜିଅଁନ୍ତାରେ ଫାଶୀଦେଲେ ।
ଲୋମ ଟାଙ୍କୁରା ସେ କରୁଣ କାହାଣୀ
ଭୂଲିବା କି ଏତେ ଶୀଘ୍ର
ସୁପ୍ତ ସିଂହକୁ ଯେ ଜାଗ୍ରତ କରାଅ
ତୂର୍ଯ୍ୟ ନାଦ କରୁ ବ୍ୟଗ୍ର ।
ଆସୁ ପାକିସ୍ତାନ ଆସୁ ବି ଚାଇନା
ତିଳେ ଘୁଞ୍ଚିବାର ନାହିଁ
ସଂଗଠନ ସ୍ଵରେ ଲୁଚିଵେ ଶିବିରେ
ପତ୍ତା ବି ମିଳିବ ନାହିଁ ।
ଯୁଗକ୍ରାନ୍ତିର ଏ ସନ୍ଧିକ୍ଷଣେ ସର୍ଵେ
ନିଦ୍ରା ତେଜି ଜାଗିଉଠ
ନୂତନ ଶତାବ୍ଦୀ ସୂରୁଜ ଉଇଁବ
ଆବାହନୀ ଗାଉ ଓଠ ।
ଇସ୍ପାତର ସମ ହେଉ ମାଂସପେଶୀ
ଧମନୀରେ ଅଗ୍ନି ଛୁଟୁ
କଣ୍ଠରେ ଭୈରଵ ଗର୍ଜନକୁ ତୋଳି
ନିଃଶ୍ଵାସରେ ଘୂର୍ଣ୍ଣି ଉଠୁ ।
ଶ୍ରୀରାମ ଧନୁଷ ଟଙ୍କାର ଆମେରେ
ଧୂର୍ଜ୍ଜଟି ନୟନ ବହ୍ନି
ଦଧିଚିଙ୍କ ଅସ୍ଥି ନିର୍ମିତ ବଜ୍ର ଯେ
ଅର୍ଜୁନ ଗାଣ୍ଡିଵ ଧ୍ଵନି ।
ସୁଦର୍ଶନ ଚକ୍ର ସମ ଆମ ଗତି
ଦୁର୍ଵାର ଓ ଫୁତ୍ କାର
ନନ୍ଦିଘୋଷ ରଥ ଘର୍ଘର ନାଦ ଯେ
ରଣଚଣ୍ଡୀର ହୁଙ୍କାର ।
ଆତ୍ମସ୍ଵାର୍ଥେ ବ୍ୟର୍ଥ ନ ହେଉ ସାମର୍ଥ୍ୟ
କିଛି କରୁ ମାତୃସେଵା
ସେହି ଏକା ପୁଣ୍ୟ ଧର୍ମକାର୍ଯ୍ୟେ ଗଣ୍ୟ
ଦେଶହିତେ ପ୍ରାଣଦେଵା ।
ଯେତେ ଜ୍ଞାନୀ ଗୁଣୀ ବୁଦ୍ଧ ସିଦ୍ଧ ଅଛ
ଅଭିମାନିନୀର କୋଳେ
ମୃଣ୍ମୟୀ ଚିନ୍ମୟୀ ପୟର ପୂଜିବା
ତ୍ରିରଙ୍ଗାର ଧ୍ଵଜା ତଳେ ।