ନିବେଦନ
ନିବେଦନ
ନିବେଦନ ( ରାଗ - ଆହାରୀ )
ମୋ ପ୍ରାଣ ପ୍ରେୟସୀ କୋମଳ ବୟସୀ
ଝୁରି ମରେ ଅଧୀରେ
ପ୍ରୀତି ଛନ୍ଦେ ତାନ ତୋଳି ଯେବେ ସ୍ନାନ
କରୁ ତୁହି ନଦୀରେ
ବିମ୍ବାଧର ତୋର ଥରେ କମ୍ପାରେ
ମୀନ ଆଖି ଠାରେ ଚାହିଁ ଏଣେ ବାରେ
କର ଅନୁକମ୍ପା ରେ । ୧ ।
ପୁଷ୍ପ କୁଞ୍ଜେ ଚଳି ଯାଆନ୍ତି ତ ଅଳି
ମଧୁରସ ଆଶରେ
ଆଗୋ ଥୁଳ ସ୍ତନା କରୁ କେତେ ମନା
ଆସିବାକୁ ପାଶରେ
ପାଖୁଡା ମଧ୍ୟରେ ଭରା ପରାଗେ
ହୋଇ ତରତର ଦେଖ ଗୋ ଭ୍ରମର
ଚୁମିଯାଏ ସରାଗେ । ୨ ।
ହୋଇଲୁ ତ ସୁଖ ଏଡି ନତମୁଖ
ଭାବିଲୁନି ଲେଶରେ
ବେଣୀଫିଟା କେଶେ ଦରହାସ ବେଶେ
ମୋହି ନେଲୁ ଶେଷରେ
ଯଶ କିବା ଦାସେ କରି ରୋଷରେ
ଦମ୍ଭ ଧରି ଆରେ ଏହି ନଦୀ ଧାରେ
କରିଦେବୁ ତୋଷରେ । ୩ ।
ମନ ମୋର ଜାଣି ପଛେ ନେବୁ ପାଣି
ଭରିକି ସେ ଗରାରେ
ତୋର ଅର୍ଚ୍ଚନାରେ ବିହି ରଚନାରେ
ଆସିଛି ମୁଁ ଧରାରେ
ମଧୁଲଗ୍ନ ଜାଣି ଏହି ବେଳାରେ
ମନୁ ଫେଡି ବାଧା ପ୍ରାଣସହୀ ରାଧା
ନକର ଗୋ ହେଳାରେ । ୪ ।
ପ୍ରସନ୍ନ କୁମାର ମାଦଳା

