STORYMIRROR

Chinmaya Kumar Nayak

Classics

3  

Chinmaya Kumar Nayak

Classics

ନଗଡୁ ପଛକେ ନଡିଘୋଷ ରଥ

ନଗଡୁ ପଛକେ ନଡିଘୋଷ ରଥ

1 min
36

ରଥ ଗଡ଼ିବନି ବଡଦାଣ୍ଡେ ବୋଲି

ଭକତର ମନ ଉଣା,

କେଜାଣି କାଳିଆ ରଚୁଛି କି ଲୀଳା

ତାର କଥା ତାକୁ ଜଣା।


ମହାମାରୀ ଆଜି ମାତିଛି ଧାରାରେ

ବିଶ୍ୱକୁ ଅଥୟ କରି,

ଲୁଚି ଲୁଚି କାନ୍ଦେ ବଡ ଦେଉଳରେ

କାଳିଆ ବି ମନ ମାରି।


ସେ ପରା ଭକତ ବତ୍ସଳ ଈଶ୍ୱର

କିପରି ରହନ୍ତା ସୁଖେ,

ତା ଭକତ ଆଜି ବିପଦେ ଗ୍ରସିତ

ଭାଳୁଛି ସେ ମନ ଦୁଃଖେ।


ତିନି ରଥ ଗଡ଼େ ବଡଦାଣ୍ଡ ପରେ

ଭକତ ଉଦ୍ଧାର ପାଇଁ,

ସେ ଭକତ ଯଦି ନଟାଣିବେ ରଥ

ରଥଯାତ୍ରା ହେବ କାହିଁ। 


ସେଥିପାଇଁ ବୋଧେ କାଳିଆର ଇଛା

ନଗଡୁ ଦାଣ୍ଡରେ ରଥ,

ତାର ଯାତ୍ରା ପାଇଁ ନ ହୋନ୍ତୁ ଭକତେ

ଅକାରଣେ ହନ୍ତସନ୍ତ।


ଏ ଧରା ପୃଷ୍ଠରେ କାଳିଆ କରୁଛି

ଦିବ୍ୟ ମାନବ ଲୀଳା,

ସମୟ ଚକ୍ରରେ ସେ ବି ନିରୁପାୟ

ଚାହିଁଛି ତା ଚକାଡୋଳା। 


ନ କାନ୍ଦନ୍ତୁ ଭକ୍ତ ପଣ୍ଡା ଓ ପୂଜକ

ଆଖିରୁ ନଝରୁ ଲୁହ

ବିଧି ନିର୍ଦ୍ଦେଶରେ ବିଧି ସମ୍ପାଦନ

ନିବିଘ୍ନରେ ହେଉ ଥୟ।


ସେ ପରା ଆମର ଗୃହକର୍ତ୍ତା ପୁଣି

ସେ ଆମ ଜୀଵନ ଧାରା,

ତାର ଇଛା ବିନା ବହେନା ପବନ

ଏ ବୋଧେ ତାର ଇଶାରା। 


ନଗଡୁ ପଛକେ ନଡିଘୋଷ ରଥ

ନହେଉ ଭକତ ମେଳି

ଗଡ଼ିଯାଉ କୋଟି ହୃଦୟର ରଥ

ଜୟ ଜଗନ୍ନାଥ ବୋଲି। 


ହୃଦ ସିଂହାସନ ହେଉ ଜନ୍ମ ବେଦୀ

ମହାପ୍ରଭୁ ହୋନ୍ତୁ ବିଜେ,

ଇଛମୟଙ୍କର ଇଛା ପୂର୍ଣ୍ଣ ହେଉ

କଳଙ୍କ ନଲାଗୁ ଧ୍ୱଜେ। 



Rate this content
Log in

Similar oriya poem from Classics