ନେଇ ନାହିଁ ସଂକଳ୍ପ ରହିବାକୁ ନୀରବ
ନେଇ ନାହିଁ ସଂକଳ୍ପ ରହିବାକୁ ନୀରବ
ଘଟିଯାଏ ଆଜି ଯା' ଯା' ଅକଥନୀୟ ଅତ୍ୟାଚାର
ଦିଆହୁଏ ଅମାନୁଷିକ ଶାରୀରିକ ମାନସିକ ଯନ୍ତ୍ରଣା
ପୁଣି ଭୁଲୁଣ୍ଠିତ କରାଯାଏ ମାନ ମର୍ଯ୍ୟାଦା ତାର
ସବୁ ସହିଯିବ କି ନାରୀଟିଏ କରିବନି ପ୍ରତିବାଦ
କ'ଣ ସର୍ବଂସହା ଧରିତ୍ରୀର ଆଖ୍ୟା ପାଇଥିବାରୁ
ନା ସେ ଅବଳା ଦୁର୍ବଳା ତାର କୋମଳ ହୃଦୟ ବୋଲି
ନାରୀ ଯେ ମାଆ ଆଦିଶକ୍ତି ସ୍ଵରୂପିଣୀ ଦେବୀ
ଯୁଗେ ଯୁଗେ ମହନୀୟା ବନ୍ଦନୀୟା ପୂଜ୍ୟନୀୟା
ଏ କଥାକୁ ମନ ହୃଦୟରୁ ଯେବେ ଯେବେ
ଭୁଲି ଯାଇଛି ମୁଢ଼ କାମାନ୍ଧ ସ୍ଵେଚ୍ଛାଚାରୀ ପୁରୁଷ
ପାଇଛି ତା'ର ପରାଭବ ଧ୍ଵଂସ ହୋଇଛି ସେ
ନାରୀଟିଏ ଆଖିରୁ ଝରାଇ ଧାର ଧାର ଲୁହ
ନେଇ ନାହିଁ ସଂକଳ୍ପ ରହିବାକୁ ନୀରବ
ସେ ଅତ୍ୟାଚାରୀ ରାକ୍ଷସ ମହାବଳୀ ମହିଷାସୁର
ଜୟ କରି ସ୍ଵର୍ଗ ମର୍ତ୍ତ୍ଵ ପାତାଳ କରୁଥିଲା ଅଟ୍ଟହାସ୍ୟ
ତା' ଉତ୍ପୀଡନେ ନାରୀ ଜାତି ହେବାରୁ ନିର୍ଯ୍ୟାତିତା
ତାକୁ ନାଶ କଲେ ଦୁର୍ଗତିନାଶିନୀ ମା' ଦୁର୍ଗା
ତଦ୍ରୁପ ରାବଣ ସହିତ ସ୍ଵର୍ଣ୍ଣଲଙ୍କାକୁ କଲେ ଧ୍ଵଂସ
ଜନକ ନନ୍ଦିନୀ ମାଆ ସୀତା ଦେବୀ ରୂପରେ
ଗର୍ବୀ ଅହଂକାରୀ ମାନୀ ଦୁର୍ଯ୍ୟୋଧନର ହେଲା ନିଧନ
କୌରବ ବଂଶ ସମେତ ମହାଭାରତର କୁରୁକ୍ଷେତ୍ରରେ
ଯାଜ୍ଞସେନୀ ଦ୍ରୌପଦୀଙ୍କୁ ଦେଇଥିବାରୁ ଅପମାନ
ଇତିହାସ ନୀରବରେ ସୂଚାଇ ଦିଏ ବାରବାର
ନାରୀ ନୁହେଁ କେବେ ପୁରୁଷ ହାତର ଏକ ଖେଳନା
ଯେମିତି ନଚାଇବ ପୁରୁଷ ତାକୁ ତାର ଇଚ୍ଛାରେ
ସେମିତି ନାଚି ସେ ସହି ଯାଉଥିବ ସବୁ ତାଡ଼ନା
ଆଉ ଅନ୍ତର୍ଦାହେ ଜଳୁଥିବ ଛାତିର କୋହ ନେଇ
ସେ ବି ଜାଣେ ତୀବ୍ର ପ୍ରତିବାଦ ପ୍ରତିରୋଧ କରି
ପ୍ରତିଘାତରେ ନେଇ ପାରେ ମଧ୍ୟ ପରାକ୍ରମୀର ପ୍ରାଣ
ଚୁପ୍ ରହିଯିବ ନେପଥ୍ୟରେ ନାରୀଟିଏ ସବୁ ସହି
ଭାବିବା ମୁଢ଼ପଣର ନିର୍ବୋଧତା ଆଉ ଅଜ୍ଞାନତା
ସେ ନେଇ ନାହିଁ ସଂକଳ୍ପ ରହିବାକୁ ନୀରବ।
