ଵନ୍ଧୁତା
ଵନ୍ଧୁତା
ତଟିନୀରେ ଯେହ୍ନେ
କାରଖାନା ଜଳ
ମିଶି ତୀବ୍ର ପ୍ରଦୂଷଣ,
ବନ୍ଧୁତା ସେପରି
ସ୍ୱାର୍ଥ ପ୍ରଦୂଷଣେ
ବିଡ଼ମ୍ବିତ ଶିରାବଣ ।
କାହିଁ ଆଉ ସେଇ
ସୁଦାମାର କୋହ
କୃଷ୍ଣଙ୍କ ପୀରତି ଭାବ?
ସ୍ୱାର୍ଥ ସରିଗଲେ
ବେଦୀ ମୁହଁ ପୋଡା
କଳୁଷିତ କଳରବ ।
ଭାବରେ ବିଭୋର
କଳିଯୁଗ ନର
ଲୋଡେ କାର୍ଯ୍ୟସିଦ୍ଧି ପାଇଁ,
ସରିଗଲେ ସବୁ
ଉପେକ୍ଷା ମାଡରେ
କାନ ମୁଣ୍ଡା ଝାଇଁ ଝାଇଁ ।
କେବେ ବନ୍ଧୁ ଏଠି
ଦ୍ରୋହ ପଶାକାଠି
କଳେବଳେ କଉଶଳେ,
ପ୍ରତୀୟମାନ ସେ
ପ୍ରୀତିଫୁଲ ଛବି
କିନ୍ତୁ ଶଠ ଛାତି ତଳେ ।
ଆହା ଆହା କହି
ଆହାର ଛଡାଏ
ଯେଉଁ ବନ୍ଧୁ ଦୈତ୍ୟ ସାଜି,
ସିଏ କଣ କେବେ
ସମ୍ପର୍କ ବର୍ଷାରେ
ସରାଗରେ ପାରେ ଭିଜି?
ବନ୍ଧୁତା ନୁହଁଇ
ଏ ଘର ମାଉସୀ
ସେ ଘର ପିଉସୀ ରଙ୍ଗ,
ବନ୍ଧୁତା ବିପଦେ
ବସନ୍ତ ମଳୟ
ସୁରଭିତ ସତସଙ୍ଗ ।
ଲୁହ ବିନିମୟେ
ଲୁହ ତୁମ ଯଦି
ବହୁଥାଏ ଅଯାଚିତ,
ବନ୍ଧୁତା ବନ୍ଧନେ
ଆଲୋକିତ ହେବ
ଅନୁରାଗେ ଅବିରତ ।
