STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ନବଗୁଞ୍ଜର

ନବଗୁଞ୍ଜର

2 mins
13


ଆହାକି ଶୋଭା ସୁନ୍ଦର ନବଗୁଞ୍ଜର

ଅଦଭୁତ ପ୍ରାଣୀ ସେହି ବଡ ବିଚିତ୍ର।

ସେ ରୂପ ଦେଖିଲେ ଆଖି ରୁହଇ ଲାଖି

କିଏ ସରଜିଲା ଏତେ ସୁଷମା ମାଖି !

ପଶୁ ପକ୍ଷୀ ନୁହେଁ ନୁହେଁ ସେ ସରିସୃପ

ନଅଟି ଶରୀରେ ଗଢା ନବୀନ ରୂପ ।

ଶୁଦ୍ର ମୁନି ଶାରଳା ଙ୍କ ମହାଭାରତ

ଏ ନବଗୁଞ୍ଜର କଥା ତହିଁ ବର୍ଣ୍ଣିତ।

ବିଚିତ୍ର ପ୍ରାଣୀ ଏ ତାର ରୂପ ବର୍ଣ୍ଣନ

ଦିବ୍ୟ ଚେତନାର କଥା ଭକ୍ତି ରେ ପୂର୍ଣ୍ଣ।

କବିଙ୍କ କଳ୍ପନା ଭରା ରହସ୍ୟ ସେତ

ମିଛମାୟା ସଂସାର ରେ ଈଶ୍ୱର ସତ୍ୟ।

ନୟନେ ନବଗୁଞ୍ଜର ଆଶା ଭରେ ଟି

ଭାବ ଭକତିରେ ପ୍ରଭୁ ଦେଖା ଦିଅନ୍ତି ।

ନିଷ୍ଠା ରେ ତ ହରିନାମ କରିଲେ ଜପ

ନିଶ୍ଚୟ ମିଳିବ ପ୍ରଭୁଙ୍କର ଆଶିଷ ।

ବନବାସ ଭୋଗୁଥିଲେ ଯେବେ ଅର୍ଜୁନ

ଭାବୁଥିଲେ ମିଳନ୍ତାକି କୃଷ୍ଣ ଦର୍ଶନ!

ଶଖାଙ୍କ ଭକ୍ତିରେ ପ୍ରିତ ହୋଇଣ କୃଷ୍ଣ

ନବଗୁଞ୍ଜର ରୂପରେ ଦେଲେ ଦର୍ଶନ।


ବନବାସ ଭୋଗୁଥିଲେ କିମ୍ପା ଅର୍ଜ୍ଜନ

କଥାଟି କହୁଛି ଶୁଣ ହେ ସାଧୁଜନ।

ପାଞ୍ଚାଳ ର ରାଜକନ୍ୟା ଦ୍ରୌପଦୀ ସେତ

ସର୍ବଗୁଣେ ପରିପୂର୍ଣ୍ଣା ରୂପବତୀ ତ।

ଘଟଣା ଚକ୍ର ରେ ସେ ଦୃପଦ ନନ୍ଦିନୀ

ପାଣ୍ଡବ ପାଞ୍ଚ ଭାଇଙ୍କ ହୋଇଲେ ପତ୍ନୀ।

ପତ୍ନୀଙ୍କ ସହିତ ସହବାସ ପାଇଁତ

ପାଞ୍ଚ ଭାଇଙ୍କ ମଧ୍ୟରେ ଥିଲା ଯେ ସର୍ତ୍ତ,

ଜଣେ ଭାଇ ଥିବ ଯଦି ତାଙ୍କ ପାସେଟି 

ଅନ୍ୟମାନେ ଯିବେ ନାହିଁ ଅନ୍ତପୁରେଟି।

ଯଦି ଯିଏ ନମାନିବ ସର୍ତ୍ତ କୁ ତହିଁ

ବାରବର୍ଷ ବନବାସ ଭୋଗିବ ସେହି ।

ଦ୍ରୌପଦୀ ଙ୍କ ପାସେ ଦିନେ ଧର୍ମ ନନ୍ଦନ

ଯୁଧିଷ୍ଠିର ହୋଇଥିଲେ ପ୍ରିତି ରେ ମଗ୍ନ।

ଏସମୟେ ଅଗ୍ନି ଦେବ ଛଦ୍ମ ବେଶରେ

ପହଞ୍ଚିଲେ ଆସି ଅର୍ଜୁନ ଙ୍କ ପାସରେ।

କହିଲେ ଯୁଧିଷ୍ଠିର ଙ୍କୁ ଡାକ ବହନ

ନହେଲେ ସଭିଙ୍କୁ କରିଦେବି ଦହନ।

ବିଚାରା ଅର୍ଜୁନ ଅନ୍ତପୁର କୁ ଗଲେ

ଯୁଧିଷ୍ଠିରେ ମିଳି ବନବାସ ଭୋଗିଲେ।


ବନବାସ କାଳେ ବୀର ଧନଜୟତ

ମଣିଭଦ୍ରା ପର୍ବତରେ ଥାଆନ୍ତି ସେତ ।

ପ୍ରିୟ ପରିଜନଙ୍କ ଠୁ ଦୂରେଇ ଯାଇ

ଦୁଃଖ ରେ କାଳ କାଟନ୍ତି ନିର୍ଜନେ ସେହି।

ବଣ ଜଙ୍ଗଲ ରେ ନିତି ଘୁରି ବୁଲନ୍ତି

ପର୍ବତ ଶିଖରେ ଯାଇ ରାତି ବିତାନ୍ତି।

ଦିନଟିଏ ଲାଗୁଥାଏ ବରଷେ ପରି

ଭାବୁଥାନ୍ତି ବାରବର୍ଷ ଯିବ କିପରି ।

ଗ୍ରୀଷ୍ମ ବର୍ଷା ଶୀତ ଋତୁ ଋତୁ ବସନ୍ତ

ଋତୁ ପରେ ଋତୁ ହୁଅନ୍ତି ଅତିକ୍ରାନ୍ତ।

ଗଛ ଲତା ଙ୍କ ସାଥିରେ କଥା ହୁଅନ୍ତି

ପଶୁପକ୍ଷୀ ଙ୍କ ମେଳରେ ଧାଇଁ ବୁଲନ୍ତି।

ଅର୍ଜୁନ ଙ୍କ ବନବାସ ସମ୍ବାଦ ସେତ

ଶଖା ଶ୍ରୀକୃଷ୍ଣ ଙ୍କୁ ଯେବେ ହେଲା ପ୍ରାପତ,

ମନ ଦୁଃଖ ରେ ତ ବସି ଭାବିଲେ କୃଷ୍ଣ

ଅଗ୍ନି ଙ୍କ ପାଇଁକି କଷ୍ଟେ ଛନ୍ତି ଅର୍ଜୁନ।

କୃଷ୍ଣ ଙ୍କୁ ଅର୍ଜୁନ ତେଣେ କରନ୍ତି ଧ୍ଯାନ

କୃଷ୍ଣ ଏଣେ ମନ ଭେଟିବାକୁ ଅର୍ଜୁନ।

ମଣିଭଦ୍ରା ପର୍ବତକୁ ଚଳିଲେ ସେତ

ନବଗୁଞ୍ଜର ବେଶରେ ମୟା ରଚିତ ।


ଅର୍ଜୁନ କୃଷ୍ଣଙ୍କୁ କରୁ ଥାନ୍ତି ଧିଆନ

ନବଗୁଞ୍ଜର ରୂପରେ ନାଚନ୍ତି କୃଷ୍ଣ।

ଆଖିଖୋଲି ଧନଜୟ ଦେଖିଲେ ଯାହା

ଆଶ୍ଚର୍ଯ୍ୟ ହୋଇଲେ ନେତ୍ରେ ଦେଖିଣ ତାହା।

ଇଏକି ବିଚିତ୍ର ପ୍ରାଣୀ ନୃତ୍ୟ କରଇ

ଶୁଣିନି କି ଦେଖିନାହିଁ କେଉଁଠି କେହି।

କୁକୁଟ ର ଚୂଳ ମଥା ମୁକୁଟ ସେତ

ମୟୁର ପରିକା ସେହି ପ୍ରାଣୀ ର କଣ୍ଠ।

ଦେହ ଯେ ତାହାର ସତେ ବୃଷଭ ପୃଷ୍ଠ

ସର୍ପ ପରି ଲାଞ୍ଚ ତାର ଦିଶୁଥାଏ ତ।

ରହିଅଛି ତାର ଏକ ମନୁଷ୍ୟ ହସ୍ତ

ଧରିଅଛି ହସ୍ତେ ପଦ୍ମ ଫୁଲ ଯେ ସେତ।

ହସ୍ତୀ ଅଶ୍ବ ବ୍ୟାଘ୍ର ଙ୍କର ପାଦ ତାହାର 

ସିଂହ କଟି କଟି ଦେଶ ଶୋଭା ସୁନ୍ଦର।

ଏମିତି ପ୍ରାଣୀ କୁ ଦେଖି ଗାଣ୍ଡିବ ଧାରୀ

ଭାବନ୍ତି କିଏସେ ସତେ ଏ ମୟାଧାରୀ।

ଆତ୍ମା ତାଙ୍କ କୁହେ ଏତ କୃଷ୍ଣ ନିଶ୍ଚୟ

ତାଙ୍କ ବିନା କିଏ ହେବ ଏ ରୂପ ମୟ ।

ପାଦରେ ତାଙ୍କ  ପ୍ରଣାମ କଲେ ଅର୍ଜୁନ

କହିଲେ ଶଖା ହେ ବାରେ ଦିଅ ଦର୍ଶନ।


ନବଗୁଞ୍ଜର ରୂପରେ ସେ ଚକ୍ରପାଣି

ଦିବ୍ୟ ଦୃଷ୍ଟିରେ ଅର୍ଜୁନ ପାରିଲେ ଚିହ୍ନି।

କୃଷ୍ଣ କହିଲେ ଧନ୍ୟ ଶଖା ହେ ମୋର

ଦେହ ସିନା ଭିନ୍ନ ଆତ୍ମା ଏକ ଆମର।

ଭାରତ ସମରେ ବିଶ୍ଵ ରୂପ ଦେଖାଇ

ମୋହମାୟା ପରଳକୁ ଦେଲେ ଛଡ଼ାଇ।

ସେ ରୂପକୁ ଦେଖିଥିଲେ ଏକା ଅର୍ଜୁନ 

ଅଶୀମ ଶକ୍ତି ଦେଲା ସେ ରୂପ ଦର୍ଶନ।

ମଣିଭଦ୍ରା ପର୍ବତରେ ନବଗୁଞ୍ଜର

ଦରଶନ କରି ତାଙ୍କ ଶୋଭା ସୁନ୍ଦର,

ଅର୍ଜୁନ ଙ୍କ ମାନସିକ ଶକ୍ତି ବଢିଲା

ଶତୃ ପରାହତ ପାଇଁ ଶକ୍ତି ମିଳିଲା ।

ଭକ୍ତ ଭଗବାନଙ୍କର ଭାବର କଥା

ନବଗୁଞ୍ଜର କାହାଣୀ ଶ୍ରଦ୍ଧା ର ଗାଥା।

ଶୌର୍ଯ୍ବ ବୀର୍ଯ୍ୟ ପରାକ୍ରମ ସୃଜନ ଶକ୍ତି

ତେଜ ଆଉ ପରାକ୍ରମ ଗତି ମୁକତି,

ସବୁରି ସମାହାର ଏ ନବଗୁଞ୍ଜର

ଅପୁର୍ବ କାହାଣୀ ଏତ ଭାବ ଭକ୍ତିର।

ଭକ୍ତିରେ ନିଷ୍ଠା ରେ ଜପ ଜୟ ଶ୍ରୀକୃଷ୍ଣ

ନିଶ୍ଚୟ ମିଳିବ ପରା ପ୍ରଭୁ ଦର୍ଶନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract