ନବବଧୂ
ନବବଧୂ
ଫଗୁଣର ପୂର୍ଣ୍ଣମାସୀ ନହୁଲି ନବବୟସୀ
ପ୍ରିୟା ମୋ ଫୁଲେଇ ତୋଫା ଜହ୍ନ ,
ମଳୟର ମୃଦୁମନ୍ଦେ ଚନ୍ଦନ ବାସ ମହକେ ସୁମନେ ତା ଚହଟୁଛି ରଙ୍ଗ ।
ଯୂଈ ଯାଇ ମଲ୍ଲି ମାନେ ମଣ୍ଡିତ ଗଭା
ସାଜିହୋଇ ନବବଧୂ ବେଶେ
ପାଦଥାପି ଆସୁଛି ସେ ଧୀରେ ସନ୍ତର୍ପଣେ
ଓଢଣୀର ଆଢୁଆଳୁ ସ୍ମିତହସ ଦିଶେ ।
କନକିତ ତା ଅଞ୍ଜଳି ପରିପୂର୍ଣ୍ଣ
ଫୁଲ ଫଳ ଅବିରର ରଙ୍ଗେ
ବରଷୁଛି ଶତଧାର ସ୍ନେହ ପ୍ରେମ ମଧୁଝର
ସମ୍ମୋହିତ ମନପ୍ରାଣ ସେ ରାଗ ପଞ୍ଚମେ ।
ଅଲପିତ ରଙ୍ଗିମାରେ ଆଖିର କଜ୍ଜଳ ଗାରେ
ସୃଜନୀର ଅଙ୍କା ନବନ୍ମେଷ,
ନାଚି ଉଠେ ମନ ପକ୍ଷୀ ଆନନ୍ଦ ଉଲ୍ଲାସେ
ଜୀବନେ ମୋ ଢାଳଇ ପୀୟୂଷ ।
--

