ନାସ୍ତିକ
ନାସ୍ତିକ
ଈଶ୍ୱରଙ୍କୁ ଯିଏ ବିଶ୍ୱାସ ନକରେ
ନାସ୍ତିକ ସେ ଦୁନିଆରେ,
ପାପ ପୂଣ୍ୟ କର୍ମ ବୁଝିପାରେ ନାହିଁ
ଯାହା ଦିଶେ ତାହା କରେ |
ସରଗ ବୈକୁଣ୍ଠ ଠାକୁର ଦେବତା
ଏ ସବୁ ତା ପାଇଁ ମିଛ,
ଜନ୍ମ, ପୂର୍ବ ଜନ୍ମ କରମ ସିଦ୍ଧାନ୍ତ
ଭାବେନାହିଁ ସିଏ ସତ୍ୟ |
ବେଦ, ପୁରାଣକୁ ପଢେ ନାହିଁ କେବେ
ଧର୍ମ ପ୍ରତି ଅନାଗ୍ରହ,
ମୁନୀ ଋଷି ବାକ୍ୟ ମିଥ୍ୟା ବୋଲି କହେ
ମିଛ ଭାଗ୍ୟ, ନବ ଗ୍ରହ |
ଯାଏନା କେବେସେ କେଉଁ ମନ୍ଦିରକୁ
ପୂଜିବାକୁ ଦେବାଦେବୀ,
ନଥାଏ ଭକତି ଠାକୁର ସେବାରେ
ନିଜେ ବଳବାନ ଭାବି |
ଧରମ ଅର୍ଜନେ ସୁଖ ମିଳେ ବୋଲି
ନଥାଏ ଧାରଣା ତାର,
ଭାବେ ନିଜ ବଳେ ଯାହା ସେ କରିବ
ସେଇ ହେବ ପୁରସ୍କାର |
ଭୋଗ ଲାଳସାରେ ମାତିଥାଏ ସିଏ
ସ୍ୱାର୍ଥ ବିଜଡିତ ହୋଇ,
ଅନ୍ୟର ସ୍ୱାର୍ଥକୁ ସମ୍ମାନ ଦିଏନା
ନିଜ ସୁଖ ବଳି ଦେଇ |
ଆଶୀର୍ବାଦ ଅବା ଅଭିଶାପ ତତ୍ତ୍ୱ
ହୃଦେ ଭରେନାହିଁ କେବେ,
ବିପଦେ ସାହାଯ୍ୟ ନିରାଶ୍ରୟେ ଆଶ୍ରା
କରେ ନାହିଁ ସିଏ ଗର୍ବେ |
ଏମିତି ବି କିଛି ମଣିଷ ଅଛନ୍ତି
ଠାକୁରେ ବିଶ୍ୱାସ ନାହିଁ,
ଦରଦୀ ହୃଦୟେ ସାହାଯ୍ୟ କରନ୍ତି
ଅନ୍ୟ ଦୁଃଖେ ଦୁଃଖୀ ହୋଇ |
ସମାଜ ସଂସ୍କାର କରନ୍ତି ସେମାନେ
ମାନବିକତାର ସ୍ଵରେ,
ନ୍ୟାୟ ଅନ୍ୟାୟର ପଥ ସେ ଜାଣନ୍ତି
ଅନ୍ୟ ପାଇଁ ନିତି ଝୁରେ |
ଦେବା ଦେବୀ ଅବା ସରଗ ନରକେ
ନଥାଉ ତାଙ୍କର ଆସ୍ଥା,
ନୁହଁନ୍ତି ସେମାନେ ନାସ୍ତିକ କେବେବି
ଭରି ହୃଦେ ମାନବତା |