ନାରୀକୁ ସମ୍ମାନ ଦିଅ
ନାରୀକୁ ସମ୍ମାନ ଦିଅ
ପାଠ କହେ ସିନା ସ୍ଵାଭିମାନୀ ହୁଅ
ଡର ନାହିଁ ଜମା କାହାକୁ,
ଯାହାକୁ ଦେଖିଲେ ଲାଗୁଅଛି ଡର
ଛାଡ଼ି ନିଜ ବାପା ମାଆକୁ ,
ଦୁଇ ବରଷର କଅଁଳ ବାଳିକା
ଯଉନ ଶିକାର ହେଉଛି,
ଅଜା ବୟସର ପାକୁଆ ବୁଢ଼ାଟା
ନାତୁଣୀ ଇଜ୍ଜତ ନେଉଛି ।
ପାଠ ପଢିଗଲେ ଲାଳୁଆ ମାଷ୍ଟର
ତେରେଛା ଆଖିରେ ଚାହୁଁଛି,
କାମ କରିଗଲେ ଠିକାଦାର ବାବୁ
ଅଯଥାରେ ଦେହ ଛୁଉଁଛି ।
ଖବର କାଗଜ ଲେଉଟିଲେ ଖାଲି
ନିର୍ଭୟା ଇତିଶ୍ରୀ ବେବିନା,
ଶାଢୀ ପିନ୍ଧ ଅବା ଚୁଡିଦାର ପିନ୍ଧ
ବଦଳୁନି ନର ଭାବନା ।
ସମାଜ ଆମର ଝିଅକୁ ଶିଖାଏ
ଦେଖି ଚାହିଁ ବାଟ ଚାଲିବୁ,
ପୁଅକୁ କହୁଛି ପିତ୍ତଳ ମାଠିଆ
ମନ ଇଚ୍ଛା ଧନ ବୁଲିବୁ ।
କେତେ ବା ସହିବ ବିଚାରୀ ଦୁହିତା
ଡରି ଡରି ଯାଏ ଜୀବନ,
କେତେବେଳେ କହେ ମୁହଁ ଖୋଲି ପୁଣି
କେତେବେଳେ ରହେ ମଉନ ।
ପୋଷାକରେ ନାହିଁ ଶାଳୀନତା ବୋଲି
ଅଯଥାରେ କିଆଁ କହୁଛ,
ଅଶାଳୀନତା ତ ମନରେ ଭରିଛି
ନାରୀ ଦୋଷ କାହିଁ ଦେଉଛ?
ନାରୀ ପରା ଜାୟା ନାରୀ ହିଁ ଜନନୀ
ନାରୀ କନ୍ୟା ନାରୀ ଭଗିନୀ,
ନାରୀ ସନମାନେ ତୁମ ସନମାନ
ନାରୀକୁ ନିଉନ ଭାବନି ।
