ନାରୀ
ନାରୀ
ନାରୀ କେବେ ମାଆ କେବେ ଭଗ୍ନୀ ଜାୟା
ମମତାର ପୂଜା ଫୁଲ
ଏଇ ଦୁନିଆରେ କେତେ ରୂପ ତା'ର
କିଏ ହେବ ତା'ର ତୁଲ ।
କେବେ ସତୀ ସୀତା କେବେ ସେ ଦ୍ରୌପଦୀ
କେବେ ରାଣୀ ଲକ୍ଷ୍ମୀବାଇ
କେବେ ସେ ଦେବକୀ କେବେ ସେ ଯଶୋଦା
ଆଉ କେବେ ମୀରାବାଇ ।
ମମତାରେ ଭରା କରୁଣାମୟୀ ସେ
ପ୍ରେମ ମନ୍ଦାକିନୀ ଧାରା
ଭୟଙ୍କର ରୂପ ଧରିଲେ ସେ ଥରେ
ପାଲଟଇ ଉଗ୍ରତାରା ।
ରୂପରେ ଗୁଣରେ ନାହିଁ ତା' ତୁଳନା
ଅଟେ ସିଏ ସର୍ବୋତ୍ତମା
ଗଙ୍ଗା ଠୁ ପବିତ୍ର ଅମୃତର ଧାରା
ଏ ସୃଷ୍ଟିରେ ଅନୁପମା ।
ନାରୀ ଯେଉଁଠାରେ ପୂଜା ପାଉଥାଏ
ତୋଷନ୍ତି ସର୍ବ ଦେବତା
ନାରୀକୁ ଯେ ଜନ ଦିଅଇ ସମ୍ମାନ
ସହାୟ ତା'କୁ ବିଧାତା ।
ଧରିତ୍ରୀ ପରିକା ବଡ଼ ସହିଷ୍ଣୁ ସେ
ସବୁକିଛି ଯାଏ ସହି
ଯେତେ ଦୁଃଖ ଯେତେ ଯନ୍ତ୍ରଣା ଆସିଲେ
ପାରେନା କାହାକୁ କହି ।
ଚଉରା ମୂଳର ସଳିତାଟେ ପରି
ନିତି ଜଳୁଥାଏ ସିଏ
ଅନ୍ଧାରକୁ ଢାଙ୍କି ଆଲୋକ ଯୋଗାଏ
ତା' ପରିକା ହେବ କିଏ ।
