ନାରୀ ସୁରକ୍ଷା
ନାରୀ ସୁରକ୍ଷା
କାନ ଖୋଲି ଶୁଣ ଥରେ ଏକବିଂଶ ଶତାବ୍ଦୀର ଜାଗ୍ରତ ଜନତା
ଜଡ଼ ବିଜ୍ଞାନର ବଳେ ଗର୍ବୋନ୍ମତ୍ତ ଅନ୍ଧ ତୁମେ ନାହିଁ ମାନବତା |
ସୃଷ୍ଟି ଶ୍ରେଷ୍ଠଜୀବ ପୁଣି ଜନ୍ମିଅଛ ପୂଣ୍ୟ ଭୂ-ଭାରତେ
ଯୁଗସ୍ରଷ୍ଟା ମୁନିଋଷି ଅଧ୍ୟୁଷିତ ଦେବଭୋଗ୍ୟ ଭୂମି ଆର୍ଯ୍ୟାବର୍ତ୍ତେ |
ବେଦ ଯାର ଧର୍ମଗ୍ରନ୍ଥ ସତ୍ୟ ଶାନ୍ତି ଦୟା କ୍ଷମା ଅହିଂସା ମନ୍ତର
ନିଖିଳ କଲ୍ୟାଣକାରୀ ଶ୍ରୀମଦ ଭାଗବତ ଗୀତା ଜ୍ଞାନର ସାଗର |
ସର୍ବତ୍ର ସଂପୂଜିତା ସମ୍ମାନିତା ମାତୃଜାତି ଚିର ଅଗ୍ରବନ୍ଦ୍ୟା
ନୁହେଁ ଭୋଗ୍ୟବସ୍ତୁ ଅବା ପୁରୁଷର କ୍ରୀଡ଼ନକ ସଦା |
ଆଜି କିନ୍ତୁ ଯନ୍ତ୍ରଯୁଗେ ଯନ୍ତ୍ରିତ ମାନବ ଅମାନବ ପଶୁତ୍ୱ ଆଚରି
ହୀନ ଯୌନ ଲାଳସାର ପରିତୃପ୍ତି ପାଇଁ ବଳାତ୍କାର ନେଉଛି ଆଦରି |
ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ପରିଦୃଷ୍ଟ ଧର୍ଷଣ ତାଣ୍ଡବ
ଦିବାଲୋକେ ରାସ୍ତାକଡ଼େ ଗାଡ଼ି ମଟରରେ ନାରୀହୁଏ ଧର୍ଷଣ ଶରବ୍ୟ |
ଅସାମାଜିକ ବର୍ବର ମଦ୍ୟପ କୁଳଗୋତ୍ର ହୀନ ଜାରଜ ସନ୍ତାନେ
ଏକାଧିକ ମେଳି ହୋଇ ବଣ୍ୟ ପଶୁସମ ଯୌନଲୁବ୍ଧ ନାରୀ ରକ୍ତପାନେ |
ଧର୍ଷଣ ପରେ ଗଳା ଚିପି ଶିଳା ଛେଚି ଧର୍ଷିତାକୁ କରିଥାନ୍ତି ହତ୍ୟା
କି ବିଭତ୍ସ ନାରକୀୟ ପାଶବିକ ନୃଶଂସତା ହୃଦୟହୀନତା |
ଶୁଣିଦେଲେ ଥରିଉଠେ ଛାତି ରକ୍ତଯାଏ ହିମ ଜାଡ଼ ହୋଇ
ଏଥିପାଇଁ ଅଧୁନାତନ ହୁଗୁଳା ଆଇନ ମୁଖ୍ୟତଃ ଦାୟୀ |
କ୍ଷମତା ଅର୍ଥ ବଳରେ ମିଥ୍ୟା ପାଶେ ବନ୍ଧା ଆଜି ସତ୍ୟ
ଏହିକି ସେ ରାମରାଜ୍ୟ ବାପୁଜୀ କଳ୍ପିତ ସୁନାର ଭାରତ |
ଏକି ନାରୀ ଜାଗରଣ ସଶକ୍ତିକରଣ ନାରୀ ସଂରକ୍ଷିତ
ୟା ବିରୁଦ୍ଧେ ଗଣସ୍ୱର ହେଉ ଶାଣରୁ ଶାଣିତ ଉତ୍ତୋଳିତ |
ଖୋଲା ମଞ୍ଚେ ଜନତା ହାତରେ ହେଉ ଦୋଷୀର ବିଚାର
ହେଉ ଦୃଷ୍ଟାନ୍ତ ଦଣ୍ଡର ବ୍ୟବସ୍ଥା ନ୍ୟାୟୋଚିତ ଆଶୁ ପ୍ରତିକାର |
ଦୁଷ୍କୃତଙ୍କ ଦୁଷ୍କୃତିର ପ୍ରାୟଶ୍ଚିତ ପାଇଁ ଅପବ୍ୟୟ ନୋହୁ ଦେଶ ବିତ୍ତ
କଠୋର ଆଇନ ଏଥିପାଇଁ ହେଉ ପ୍ରଣୋଦିତ ||
