ନାରୀ ସିଏ ବସୁନ୍ଧରା
ନାରୀ ସିଏ ବସୁନ୍ଧରା


ପର୍ବପର୍ବାଣିରେ ସର୍ବାଗ୍ରେ ଅଗ୍ରଣୀ
ମୋ' ମାଟି ମାଆ ଓଡିଶା ,
ତା' ପାଣି ପବନ ତା' ଧୂଳିକଣାରେ
ପୂରିଛି ଓଷାର ଭାଷା !
ନଦୀ, ମହାନଦୀ,ପାହାଡ଼ ,ଝରଣା ,
ମହୋଦଧି , ତା'ର ବେଳା ,
ହାତ ଠାରି ଡାକେ ଧଉଳି ପାହାଡ଼
କୋଣାର୍କର ଚାରୁକଳା !
ଗାଆଁଦାଣ୍ଡ ଦେଇ ଚାଲି ଯାଉଥାଏ
ଆମ ଓଡିଆଣୀ ବୋହୂ ,
ମଥାରେ ସିନ୍ଦୂର ପାଦରେ ଅଳତା
ସରମୀ ! ସାଧବବୋହୂ !!
ବାର ମାସେ ତେର ପରବ ପାଳଇ
ଓଡ଼ିଆଣୀ ଭୁଆସୁଣୀ ,
ଝୋଟି,ଚିତା ତା'ର ନାହିଁ ପଟାନ୍ତର
ରଙ୍ଗୋଲି , ରଙ୍ଗର ଖଣି !
ରଙ୍ଗୋଲିର ରଙ୍ଗ ନୁହେଁ ସାଧାରଣ,
ଶାନ୍ତି ମୈତ୍ରୀର ପ୍ରତୀକ ,
ମମତା-ମୁରୁଜେ ଛିଞ୍ଚି ଦେଇଥାଏ
ମାତୃପ୍ରୀତିର ମହକ !
ରଙ୍ଗୋଲି ବକ୍ଷରେ ରଚେ ବର୍ଣ୍ଣମାଳା,
ଜାତି ସଂସ୍କୃତିର ବାର୍ତ୍ତା ,
କୀର୍ତ୍ତି, ଐତିହ୍ୟର ସ୍ୱୟଂ ଚିତ୍ରଲିପି
ଆଗାମୀ ଯୁଗ ନିର୍ମାତା !
ମାଆ ବୋଲି ଥରେ ଡାକିଦେବା ପାଇଁ
&
nbsp; ଜାଗେ ମନେ ଅଭିଳାଷ ,
ସେଇ ଅଭିଳାଷ ଆନନ୍ଦାଶ୍ରୁ ରୂପେ
ଝରାଇଦିଏ ଆଶିଷ ।
ମାଆ ଲୋ ! ମମତା ପଣତରେ ତୋ'ର
ମାତୃତ୍ୱର ମହାତୀର୍ଥ ,
ତୋ' ପରି ଚରିତ୍ର ପାଇ ହୋଇଥାଏ
ଉତ୍କଳ ମାଟି କୃତାର୍ଥ !
ସ୍ମୃତିସ୍ତମ୍ଭ ହୋଇ ରହିଯିବ ତୋ'ର
ରଙ୍ଗୋଲିର ହସ୍ତାକ୍ଷର ,
ସାଧାରଣ ଆଖି ପାରିବନି ଦେଖି
ଏ ରଙ୍ଗୋଲି ଅନ୍ତଃସ୍ବର ।
ରଙ୍ଗୋଲି ରୂପରେ ଉତ୍କଳ-ଦୁହିତା
ଚିତ୍ରଗୀତି, ଚିତ୍ରାଙ୍କନ ,
ହସ୍ତାକ୍ଷର ରୂପେ ଲିପିବଦ୍ଧ ହୋଇ
ଦିଏ ଶତ ପ୍ରୋତ୍ସାହନ ।
ପ୍ରୋତ୍ସାହନ ନୁହେଁ ସୀମିତ ସଂକଳ୍ପ
ସୀମାହୀନ ନାମାଙ୍କନ ,
ନାରୀ ଜାତି ପାଇଁ ପ୍ରମୁଖ ପ୍ରେରଣା
ସଂସ୍କୃତିର ସଂସ୍ଥାପନ !
ଧନ୍ୟ ଗୋ ଉତ୍କଳ ! ଅବିକଳ୍ପ ତୋର
ଉତ୍କଳୀୟ ପରମ୍ପରା ,
ସେ ପରମ୍ପରାର ଅଦମ୍ୟ ପ୍ରେରଣା
ନାରୀ,ସିଏ ବସୁନ୍ଧରା !