ନାରୀ ସବୁଠୁ ମହାନ୍
ନାରୀ ସବୁଠୁ ମହାନ୍
ଆମ ପୂରାତନ ସଂସ୍କୃତି ନାରୀକୁ
ଦେଇଛି ମହତ ସ୍ଥାନ,
ଯଜନ ଯାଜନ ପଠନ ଶାସନ
ସବୁଠି ତାର ସମ୍ମାନ।
ଅଧୁନାତନ ଏ ସମାଜେ ଘଟିଛି
ନୈତିକ ଅବକ୍ଷୟ ,
ଜୀବନର ପ୍ରତି କ୍ଷଣେ ନିର୍ଯ୍ଯାତନା
ପାଶବିକତା ର ଭୟ।
ଆଧୁନିକତାର ପ୍ରଲେପକୁ ଲେପି
ବିଭସ୍ଚ ମାନସିକତା,
ଉପେକ୍ଷିତ ନାରୀ ମାନ୍ୟତା
ଅନିୟନ୍ତ୍ରିତ ଆତ୍ମ ସଂଯମତା।
ନାରୀ ଜାତି ସଦା ସୃଷ୍ଟିର ଓଁକାର
ଜୀବନର ମୂଳଧାର,
ସୁଉଚ୍ଚ ଶକ୍ତ ଅଟ୍ଟାଳିକା ଲୋଡେ
ଉନ୍ନତ ଭିତ୍ତି ପ୍ରସ୍ତର।
ବିଶୃଙ୍ଖଳିତ ସମାଜେ ନାରୀକୁ
ସମୟର ଏ ଆହ୍ବାନ,
ଉତ୍ଥାପିତ କର ଆତ୍ମ ମର୍ଯ୍ୟାଦା
ପଦଦଳିତ ତୋ ସ୍ୱାଭିମାନ।
ପବିତ୍ର ଉର୍ଜାରେ ଜାଳିଦେ ଜାଳିଦେ
କ୍ରାନ୍ତିର ଦାବାନଳ,
ସଂସ୍କାର ପ୍ରହାରେ ଆକଟ ସନ୍ତାନେ
କୁପଥଗାମୀ ଓ ଉଛୃଙ୍ଖଳ।
ନୁହେଁ ତୁ କାମନା ବାସନାର ଭୋଗ୍ୟା
ସଦା ସ୍ନେହ ସମ୍ମାନର ଯୋଗ୍ୟା,
ବିଶେଷତା ହେଜି ନିଜକୁ କରିଦେ
ପୂଜା ପାର୍ବଣ ର ଯୋଗ୍ୟା।
ଲମ୍ପଟ କାମୁକ ମଦ୍ୟପ ଲାଗି
ରୁଦ୍ଧ କର ତୁମ ଦ୍ବାର,
ଝଂକୃତ ହେଉ ତନ୍ତ୍ରୀରେ ତୁମ
ଆତ୍ମ ସମ୍ମାନ ର ସ୍ୱର।
ଚେତନା ବହ୍ନିରେ ଚମକାଇ
ଅବଚେତନ ସୁଶୁପ୍ତ ମନ,
ମମତାର ବାରିଧାରେ ଧୋଇଦିଅ
ସବୁ ସନ୍ତାପିତ ପ୍ରାଣ।
ଲଜ୍ଜା କ୍ଷମା ଦୟା ପରୋପକାର ର
ଦିବ୍ୟ ଆଭୁଷଣ ହୋଇ,
ଚରୈବତି ମୁକ୍ତି ମଶାଲରେ ଉଠୁ
ସୁପ୍ତ ମାନବିକତାଟା ଚେଇଁ।
ତୁ ନୁହେଁ ପରାଙ୍ଗପୁଷ୍ଟ ତୁ ବଳିଷ୍ଠ
ବିଶିଷ୍ଟ ଓ ସର୍ବଶ୍ରେଷ୍ଠ ,
ପଦ୍ମ ପତ୍ରରେ ଜଳବିନ୍ଦୁ ସମ
ନିର୍ଲିପ୍ତ ନିର୍ବିକଳ୍ପ ।
ନିଜକୁ ନିଜଠୁ ଶ୍ରେଷ୍ଠତମ ଗଢି
ସମର୍ପି ଯାଆ ଅବଦାନ,
ଦୃଷ୍ଟାନ୍ତ ଦେଇ ଶତମୁଖ ଗାଉ
ନାରୀ ଅଟଇ ମହାନ।
