ନାଣ୍ଡିମୁଣ୍ଡି
ନାଣ୍ଡିମୁଣ୍ଡି
ଆମ କଇରୀ ଭାରି ଗେହ୍ଲେଇ
ଡାକ ନାଁ ଟି ମିଲି
ଝୁମ୍ପୁରୁଝୁମ୍ପା ବାଳ ଲମ୍ବେଇ
ଭାରି ସେ ଚୁଲବୁଲି ।
ପାଠରେ ତାର ମନ ମଗନ
ଚୁଟିକୁ ଟିକେ ରାମ୍ପି
ଝଅଟ କରି ପକାଏ ଗିଳି
ଖାଏ ସେ ଖୁମ୍ପି ଖାମ୍ପି ।
ଦେହ ମୁଣ୍ଡ ର ନିଏ ନା ଯତ୍ନ
ତେଲ ସାବୁନ ମାରି
ବସଇ ଗେଞ୍ଜି ମୁଣ୍ଡ କୁ ମୁଣ୍ଡ
ଟୁଉକୁ ମୁଷି ପରି ।
ହେଲା ଡାଗରା ଉଙ୍କୁଣୀ ପୋକ
ମୁଣ୍ଡେ ତା ସାଲୁବାଲୁ
କହିଲେ ମାଆ ହଇଲୋ ମିଲି
ଏଡିକି ସତେ ଓଲି ।
କହୁନୁ କିଛି ରାମ୍ପୁଛୁ ବସି
ନମାନି ଦିନ ରାତି
ଆଣି କଇଁଚି ଦଉଚି କାଟି
ସବୁ ତୋ ଲମ୍ବା ଚୁଟି ।
ଚାଲୁଛି ଏବେ କରୋନା ବେଳ
ସ୍କୁଲ ତ ଏବେ ଛୁଟି
କିମ୍ପାଇଁ କଳି ଦିଅଁଙ୍କ ସଙ୍ଗେ
ମୂଳୁ ମାରିଲେ ତୁଟି ।
ନ ପାଇ ବାଟ ହୋଇଲା ମିଲି
ବହୁତ କୁନ୍ଥୁ କୁନ୍ଥୁ
ମାଆ କଇଞ୍ଚି କୁଟୁରୁକୁଟୂ
ବାଳ ଛୁ ମନ୍ତର ଛୁ ।
ସାବୁନ ମାରି ଧୋଇଲା ମୁଣ୍ଡ
ଉଙ୍କୁଣୀ ହେଲା ସଫା
ମାଡ଼ିଲା ଲାଜ ବସିଲା ଘରେ
ମନଟା ହେଲା ଖପ୍ପା ।
ଭାବିଥିଲା ସେ ପରୀଟେ ହୋଇ
ଉଡ଼ିବ ଫରଫର
ଝୁଲାଇ ବେଣୀ ଦୁଇ ପଟରେ
ଖୋସିବ ରଙ୍ଗ ଫୁଲ ।
ଥଟ୍ଟାରେ ଆଈ ଅଜା ଡାକିଲେ
ମିଲିଟା ନାଣ୍ଡିମୁଣ୍ଡି
ଖଳାରେ ବସି ଖଇରକୁଣ୍ଡି
ଭାଙ୍ଗୁଥା ପାନଖଣ୍ଡି ।
