ମୂଲ୍ୟବାନ
ମୂଲ୍ୟବାନ
ସୁନା ରୂପା ହୀରା ମୋତି ମାଣିକ୍ୟଠୁଁ
ସମୟ ଯେ ମୂଲ୍ୟବାନ
ନାଚେ ଓ ନଚାଏ ଶତ୍ରୁ ମିତ୍ର ହୋଇ
ସିଏ ଏକା ବଳବାନ।
ତା ସଦୁପଯୋଗ କରାଇ ପାରିଲେ
ସୁଖମୟ ଏ ଜୀବନ
ଅପବ୍ୟୟ କଲେ ସମୟକୁ ହୁଏ
ଆମପାଇଁ ମୂଲ୍ୟହୀନ ।
ତା ସାଥିରେ ତାଳ ଦେଇ ଚାଲୁଥିଲେ
ହୁଏ ସେ ଆମରି ମିତ୍ର
ଶତ୍ରୁ ଯେବେ ସିଏ ହୋଇଯିବ ଆମ
ଜୀବନ ହୋଇବ ବ୍ୟର୍ଥ ।
ମଣିଷ ଦେଖଇ ନିତି ନିତି କେତେ
ମୃତ୍ୟୁ ଆଉ ଜନମ
ମୃତ୍ୟୁ ସତ୍ୟ ଜାଣି ତଥାପି ମଣିଷ
ଜିଇଁବାକୁ ବଳାଉଛି ମନ ।
ରଙ୍ଗମଞ୍ଚରେ ଅଭିନୟ ସାରି
ଜୀବନଟା ମରିଯାଏ
ନିର୍ଦେଶକ ସାଜି ସମୟ ମରେନା
ସଦା ଜିଇଁ ରହିଥାଏ ।
ସର୍ବଶକ୍ତିମାନ ସମୟ ତାହାର
ତା ବାଟରେ ଚାଲୁଥାଏ
ନିକଟ ହୋଇଲେ ମଣିଷର ମୃତ୍ୟୁ
ମୂଲ୍ୟ ତାର ବୁଝିଥାଏ ।
ନିଷ୍ପତ୍ତି ନିଜର କିପରି କରିବା
ସମୟର ବ୍ୟବହାର
ଦଇବ ଦଉଡି ସାଜିଛନ୍ତି ପରା
ଆମେ ତ ମଣିଷ ଛାର ।
