ମଉସୁମୀ
ମଉସୁମୀ
ପ୍ରତିକ୍ଷାର ଅନ୍ତ କରିଦିଅ ପ୍ରିୟା
ଝରିଆସ ଗଗନରୁ
ଗ୍ରୀଷ୍ମ ପ୍ରପୀଡ଼ିତ ତପ୍ତ ଶରୀରରେ
ଶୀତଳତା ଟିକେ ଭରୁ ।
ଚାହେଁ ମଉସୁମୀ ତୁମରି ପରଶ
ବିରହରେ ଜଳି ଜଳି
ମୋ' ହୃଦୟେ ଭରା ପ୍ରେମର କଣିକା
ପାରିବନି ତୁମେ କଳି ।
ତାପ ସନ୍ତାପିତ ମନରେ ମୋ ନିତ୍ୟ
ସିଞ୍ଚିଦେଵ ସଂଜୀବନୀ
ସୁପ୍ତ ହୃଦୟଟା ଜାଗ୍ରତ ହୋଇବ
ତୁମ ପାଦଶବ୍ଦ ଶୁଣି ।
ବରଷା ବିଜୁଳି ଇନ୍ଦ୍ରଧନୁ ତୋଳି
ଘଡଘଡି ବାଦ୍ୟ ସାଥେ
କଳାମେଘ ଘେରା ଓଢଣୀ ପକାଇ
ଫଳଫୁଲ ଧରି ହସ୍ତେ ।
ପ୍ରେମର ପୁରବୀ ଢାଳିଦେଵ ଆସି
ପ୍ରକୃତିର ବକ୍ଷପରେ
ଶ୍ୟାମଳିମା ରୂପ ଦେଖି ମୋର ନେତ୍ର
ହଜିଯିବ ପୀରତିରେ ।
ଦୁଇ ବାହୁ ମେଲି ତୁମକୁ ଛୁଇଁବି
ଭୁଲିଯିବି ସବୁ କ୍ଲାନ୍ତି
ଆସ ମଉସୁମୀ ମୋ' ମନ ମୟୂରୀ
ଢାଳିଦିଅ ତୁମ ପ୍ରୀତି ।

