ମୁଁ ତୁମର ଏକ ଅଂଶ
ମୁଁ ତୁମର ଏକ ଅଂଶ
ଅମୃତମୟ ଏ ସର୍ଜନା ମଧ୍ୟରେ
ମୁଁ ତୁମର ଏକ ଅଂଶ ,
ମୋଅରି ଭିତରେ ତୁମେ ରହିଅଛ
ହୋଇ ମୋ ମାନସ ହଂସ ।
ବିପଦେ ଧଇର୍ଯ୍ୟ ଦେଉଅଛ ତୁମେ
ହୋଇକରି ନାଥ ସାହା ,
ସୁଖରେ ଅଧିର କରିନାହଁ କେବେ
ଦେଇଅଛ ଲୋଡ଼ା ଯାହା ।
ସବୁଠାରୁ ପରା ଦୁର୍ଲ୍ଲଭ ଜନମ
ଦେଇଅଛ ସାଇଁ ଭବେ ,
ଅନୁଭବ କରେ ତୁମ ଦିବ୍ୟସତ୍ତା
ସ୍ମରଣ କରେ ମୁଁ ଯେବେ ।
ତୁମ ଇଙ୍ଗିତରେ ବିବେକ ଖଟାଇ
ସୁକରମ କରେ ନିତି ,
ଦିଅ ଶୁଭାଶିଷ,ତୁମ ଚିନ୍ତନରେ
ବାକି ଦିନ ଯାଉ ବିତି ।
