ମୁଁ ସାଧୁ ନୁହେଁ
ମୁଁ ସାଧୁ ନୁହେଁ
ରକ୍ତମାଂସର ଶରୀର ମୋର ମଧ୍ୟ
ଏଥିରେ ପ୍ରାଣ ଅଛି ଓ ଅଛି ନିଃଶ୍ୱାସ-ପ୍ରଶ୍ୱାସ
ଏ ଦେହ ଭିତରେ ଅଛି ମନଟିଏ,
ସାଧାରଣ ଜୀବନର ମଣିଷଟିଏ ମୁଁ
ମଣିଷଠୁ କମ୍ ନୁହେଁ କି ନୁହେଁ ଅଧିକ
ମଣିଷଟେ ପରି ବଞ୍ଚିବାକୁ ଦିଆଯାଉ
ଉଚ୍ଚକୁ ନେଇ ଦିଅନି ମୋତେ ତଳକୁ କଚ୍ଚାଡି଼
ନିନ୍ଦା କର ମୋତେ ଗାଳିଦିଅ ମୋତେ
ସମାଲୋଚନା କର ମୋତେ, ଆକଟ କର ମୋତେ
ତୁମମାନଙ୍କ ପରି ମୁଁ ବି ସହଜ ସରଳ ମଣିଷଟିଏ
ମୁଁ ସାଧୁ ନୁହେଁ, ମୁଁ ସାଧୁ ନୁହେଁ!
ମହାନ୍ ହେବାକୁ ଚାହିଁ ନାହିଁ କେବେ
ଶ୍ରେଷ୍ଠ ହେବାକୁ ଆଉ ଇଛା ନାହିଁ ମୋର
ତ୍ରୁଟି ଥିବା ଶରୀର ଓ ଆତ୍ମାଟିଏ ହେବାକୁ ଚାହେଁ
ଭୁଲ୍ ଥିବା ଜୀବନଟିଏ ହେବାକୁ ଚାହେଁ,
ସହିଛି ସହିବି ଆହୁରି ଅନେକ
ସମାଜର ଗତିରେ ଯିବାକୁ କରିବି ଉଦ୍ୟମ
ମୁଁ ଜୀବନ୍ତ ବଞ୍ଚିବାକୁ ଚାହେଁ
ମୋତେ ଜୀବନ ଦରକାର ନିଃଶ୍ୱାସ ନୁହେଁ
ମୋତେ ଜିଇଁବାକୁ ଦିଅ ହେ ପ୍ରଭୁ
ମୁଁ ସାଧୁ ନୁହେଁ, ମୁଁ ସାଧୁ ନୁହେଁ!
ଏ "ଭଲ" ହେବାର ଯନ୍ତ୍ରଣା ଅସହ୍ୟ ମୋ'ପାଇଁ
"ଭଦ୍ର ମଣିଷ" ଶବ୍ଦ ମୋତେ କାହିଁକି ଆକ୍ଷେପ ଲାଗେ
ମୁଁ ତୁମମାନଙ୍କ ପରି ସାଧାରଣ ହେବାକୁ ଚାହେଁ
ସରଳ ମଣିଷଟିଏ ହେବାର ଇଛାକୁ
ସମାଜ ଯଦି ମହାନ୍ କହିବାକୁ ଲାଗିବ
ସେଥିରେ ଏ ଅଧମ ମଣିଷର ଅବା କି ଦୋଷ,
ଲୋଡ଼ା ନାହିଁ ଆଉ ଅମୃତ ହୋଇ ଯାତନା ଭୋଗିବା
ବରଂ ମୋତେ ବିଷମୟ କରିଦିଅ,
ମୁଁ ସତରେ ହସିବାକୁ ଚାହେଁ
ମୁଁ ସମସ୍ତଙ୍କ ପରି ଜୀବନ ଚାହେଁ
ମୋତେ ସାଧାରଣ ମଣିଷ ହୋଇ
ସହଜ ଜୀବନ ବଞ୍ଚିବାକୁ ଦିଅ
ଥକିଗଲାଣି ମୋ' ବିବେକ ଓ ହୃଦୟ
ମୁଁ ଟିକେ ଚାଲିବାକୁ ଚାହେଁ
ମୁଁ ସାଧୁ ନୁହେଁ ମୁଁ ସାଧୁ ନୁହେଁ!